ଜୁଲାଇ ସୁଦ୍ଧା ୨,୭୨୧ ସ୍ୱାଇନ୍ ଫ୍ଲୁ ମାମଲା

ନୂଆଦିଲ୍ଲୀ,ଏଜେନ୍ସି : କୋଭିଡ୍-୧୯ ମହାମାରୀ ଛଡ଼ା ଚଳିତବର୍ଷ ଦେଶରେ ସ୍ୱାଇନ୍ ଫ୍ଲୁ ମାମଲା ମଧ୍ୟ ଦେଖିବାକୁ ମିଳିଥିଲା। ସରକାରୀ ତଥ୍ୟ ମୁତାବକ ଜୁଲାଇ ଶେଷସୁଦ୍ଧା ଦେଶରେ ଚିହ୍ନଟ ୨୭୨୧ ଜଣ ସ୍ୱାଇନ୍ ଫ୍ଲୁ ଆକ୍ରାନ୍ତଙ୍କ ମଧ୍ୟରୁ ୪୪ ଜଣ ପ୍ରାଣ ହରାଇଥିଲେ। କର୍ଣ୍ଣାଟକରେ ସର୍ବାଧିକ ୪୫୮ ସ୍ୱାଇନ୍ ଫ୍ଲୁ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା ବେଳେ ତେଲଙ୍ଗାନାରେ ୪୪୩, ଦିଲ୍ଲୀରେ ୪୧୨, ତାମିଲନାଡୁରେ ୨୫୩ ଓ ଉତ୍ତରପ୍ରଦେଶରେ ୨୫୨ ଜଣଙ୍କୁ ଠାବ କରାଯାଇଥିଲା। ଘୁଷୁରିଠାରୁ ମଣିଷକୁ ସଂକ୍ରମିତ କରୁଥିବା ଏହି ରୋଗର ଲକ୍ଷଣଗୁଡ଼ିକ ସାଧାରଣ ଜ୍ୱର, ଥଣ୍ଡାକାଶ ଭଳି ରୋଗର ଲକ୍ଷଣ ସହିତ ମିଶିଯାଉଥିବାରୁ ପ୍ରାଥମିକ ପର୍ଯ୍ୟାୟରେ ରୋଗ ନିରୂପଣ କରିବା ମୁସ୍କିଲ ହୋଇଥାଏ। ମାତ୍ର ସ୍ୱାଇନ୍ ଫ୍ଲୁ କ୍ଷେତ୍ରରେ କାଶ, କମ୍ପଜ୍ୱର ଟିକେ ଅଧିକ ମାତ୍ରାରେ ହୋଇଥାଏ। ଡାକ୍ତରଙ୍କ ମତରେ କୋଭିଡ୍-୧୯ ଓ ସ୍ୱାଇନ୍ ଫ୍ଲୁ ଲକ୍ଷଣ ମଧ୍ୟରେ ସାମଞ୍ଜସ୍ୟ ଥିବାରୁ ରୋଗୀଙ୍କ ଚିହ୍ନଟ ପ୍ରକ୍ରିୟାରେ ସତର୍କତା ଅବଲମ୍ବନ ଜରୁରୀ।  ୫ ବର୍ଷରୁ କମ୍ ବୟସର ପିଲା, ବୟସ୍କ ବ୍ୟକ୍ତି, ପ୍ରସୂତିଙ୍କ ସମେତ ଜଟିଳ ବ୍ୟାଧିରେ ପୀଡ଼ିତ ଲୋକମାନେ ସ୍ୱାଇନ୍ ଫ୍ଲୁ ସଂକ୍ରମଣର ଶିକାର ହେବାର ଆଶଙ୍କା ଥାଏ। କୋଭିଡ୍-୧୯ ସତର୍କତା ଭଳି ସ୍ୱାଇନ୍ ଫ୍ଲୁ କ୍ଷେତ୍ରରେ ମଧ୍ୟ ହାତଗୋଡ଼ ପରିଷ୍କାର ଓ ଦୁଇମିଟର ଦୂରତା ରକ୍ଷା କରିବା ସର୍ବୋତ୍ତମ ବୋଲି ଡାକ୍ତରମାନେ ମତପ୍ରଦାନ କରିଛନ୍ତି।