ନିରାଡମ୍ବର ଭାବେ ପାଳିତ ହେଲା ସ୍ୱାମୀ ଲକ୍ଷ୍ଣଣାନନ୍ଦ ସରସ୍ୱତୀଙ୍କ ବ୍ରହ୍ମଲୀନ ଦିବସ

ଫୁଲବାଣୀ,ଚକାପାଦ,ତୁମୁଡ଼ିବନ୍ଧ,ଏନ୍ଏନ୍ଏସ୍: ଧର୍ମଗୁରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଦ୍ୱାଦଶ ବ୍ରହ୍ମଲୀନ ଦିବସ ଆଜି ସମ୍ପନ୍ନ ହୋଇଛି। ୨୦୦୮ ମସିହା ଜନ୍ମାଷ୍ଟମୀ ତିଥିରେ ସ୍ୱାମୀଜୀଙ୍କୁ ତାଙ୍କ ତୁମୁଡିବନ୍ଧସ୍ଥିତ ଜଳେଶପଟା ଆଶ୍ରମରେ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଥିଲେ। ସେବେଠାରୁ ଜନ୍ମାଷ୍ଟମୀ ତିଥିରେ ସ୍ୱାମୀଜୀଙ୍କ ବ୍ରହ୍ମଲୀନ ଦିବସ ପାଳନ କରାଯାଉଛି। ଚକାପାଦସ୍ଥିତ ସ୍ୱାମୀଜୀଙ୍କ ମୁଖ୍ୟ ଆଶ୍ରମ ତଥା ସଂସ୍କୃତ ମହାବିଦ୍ୟାଳୟ ଆଜି ନିରାଡମ୍ବର ଭାବେ ଏହି ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ସକାଳୁ ହୋମ, ଯଜ୍ଞାଦି କାର୍ଯ୍ୟକ୍ରମ ସହ ନାମ ସଂକୀର୍ତ୍ତନ ଓ ସ୍ମୃତିସଭା ହୋଇଥିଲା। ୨ ପ୍ଲାଟୁନ ପୁଲିସ୍ ଫୋର୍ସ ସହ ଅତିରିକ୍ତ ଏସପି, ଏସଡିପିଓ, ଥାନାଧିକାରୀ ପ୍ରମୁଖ ଆଶ୍ରମ ନିକଟରେ ଉପସ୍ଥିତ ଥିଲେ। ଚକାପାଦର ସମସ୍ତ ପ୍ରବେଶ ପଥରେ ନାକା ପଏଣ୍ଟ କରି ଯିବା ଆସିବା ଲୋକ ଓ ଗାଡି ଯାଞ୍ଚ କରାଯାଇଥିଲା।