ଦିବ୍ୟାଙ୍ଗଙ୍କ ପାଇଁ ‘ସ୍ୱାବଲମ୍ବନ ସ୍ୱାସ୍ଥ୍ୟବୀମା ଯୋଜନା’ ଫେଲ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଦିବ୍ୟାଙ୍ଗଙ୍କ ପାଇଁ କୌଣସି ସ୍ୱତନ୍ତ୍ର ସ୍ୱାସ୍ଥ୍ୟବୀମା ଯୋଜନା ବ୍ୟବସ୍ଥା ନାହିଁ। କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଓ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସେଭଳି କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ। ଫଳରେ ଦିବ୍ୟାଙ୍ଗମାନେ ଚିକିତ୍ସା କ୍ଷେତ୍ରରେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯାଗ ହୋଇଛି। କେନ୍ଦ୍ର ସରକାର ଦିବ୍ୟାଙ୍ଗ ପାଇଁ ସ୍ୱତନ୍ତ୍ର ସ୍ୱାବଲମ୍ବନ ସ୍ୱାସ୍ଥ୍ୟବୀମା ଯୋଜନାରେ ୯୦ ପ୍ରତିଶତ ଦେବାକୁ ଥିବାବେଳେ ଦିବ୍ୟାଙ୍ଗମାନେ ୧୦ ପ୍ରତିଶତ ଭରଣା ପାଇଁ କୁହାଯାଇଥିଲା। ଦିବ୍ୟାଙ୍ଗମାନେ ସେମାନଙ୍କ ଅଂଶ ଡିପୋଜିଟ୍ କରିଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ସୁଫଳ ହୋଇପାରିଲା ନାହିଁ।

ଦିବ୍ୟାଙ୍ଗଙ୍କ ପାଇଁ ଉଦ୍ଦିଷ୍ଟ ପିଡବ୍ଲ୍ୟୁଡି ଆକ୍ଟ-୧୯୯୫ ଅନୁସାରେ ଦିବ୍ୟାଙ୍ଗଙ୍କ ଅଧିକାର ଓ ସମ୍ମାନ କ୍ଷେତ୍ରରେ ସ୍ୱତନ୍ତ୍ର ଯୋଜନା କରିବା ଲାଗି ନିୟମରେ ବ୍ୟବସ୍ଥା ରହିଛି। ହେଲେ ଏହି ନିୟମ ପ୍ରତି ଉଭୟ ସରକାର ଅଣଦେଖା କରୁଛନ୍ତି। ଯେଉଁ ମହତ ଉଦ୍ଦେଶ୍ୟ ନେଇ ଏହି ଆଇନ ତିଆରି କରିଛନ୍ତି, ତାହା ସେମାନଙ୍କ ପାଇଁ ଫଳପ୍ରଦ ହେଉନାହିଁ।

୨୦୧୫ ଜାନୁଆରୀ ୨୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ‘ସ୍ୱାବଲମ୍ବନ ସ୍ୱାସ୍ଥ୍ୟବୀମା ଯୋଜନା’ ଘୋଷଣା କରିଥିଲେ। ଏହି ଯୋଜନାରେ ସେମାନେ ସ୍ୱତନ୍ତ୍ର ଭାବେ ନିଜସ୍ୱ ବୀମା କରିପାରିବେ। ଏହି ବୀମା ଯୋଜନାରେ କେନ୍ଦ୍ର ସରକାର ୯୦ ପ୍ରତିଶତ ଅର୍ଥ ଦେବାକୁ ଥିଲାବେଳେ ହିତାଧିକାରୀ ୧୦ ପ୍ରତିଶତ ପ୍ରିମିୟମ୍ ରାଶି ଭରଣ କରିବେ। ଏହି ଅନୁସାରେ ଜଣେ ଦିବ୍ୟାଙ୍ଗ ହିତାଧିକାରୀ ବର୍ଷକୁ ତା’ର ପରିବାର ସହିତ ୪ଜଣ ସାମିଲ୍ ହୋଇପାରିବେ। ବର୍ଷକୁ ସେମାନେ ୨ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ପାଇବେ। ଏହି ସ୍ୱାସ୍ଥ୍ୟ ବୀମା ଦିବ୍ୟାଙ୍ଗଙ୍କ ମନରେ ଏକ ଆଶା ସଞ୍ଚାର କରିଥିଲା। ହେଲେ ବିଭିନ୍ନ କାରଣ ଯୋଗୁଁ ସବୁ ଆଶା ଫସର ଫାଟିଗଲା

। ଦିବ୍ୟାଙ୍ଗଙ୍କୁ ଏହି ଯୋଜନାରେ ସାମିଲ ହେବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ୨୦୧୭ ମସିହାରେ କ୍ୟାମ୍ପ୍ମାନ ଅୟୋଜନ ହୋଇଥିଲା। ସେହି କ୍ୟାମ୍ପ୍ରେ ଓଡ଼ିଶାରୁ ପ୍ରାୟ ୨ଲକ୍ଷ ଦିବ୍ୟାଙ୍ଗ ଏହି ବୀମା ଯୋଜନାରେ ସାମିଲ୍ ହୋଇଥିଲେ। ହେଲେ ଏହି ଯୋଜନାଟି ସେମାନଙ୍କ କାର୍ଯ୍ୟରେ ଆସିଲା ନାହିଁ। ହିତାଧିକାରୀମାନେ ନିଜ ଅଂଶର ୩୫୫ଟଙ୍କା ଡିପୋଜିଟ୍ କରିଥିଲେ। କିନ୍ତୁ କେନ୍ଦ୍ର ସରକାର ତାଙ୍କ ଭାଗ ଦେଇପାରିଲେ ନାହିଁ। ଫଳରେ ବୀମା କମ୍ପାନୀ ହିତାଧିକାରୀଙ୍କୁ ବୀମାରେ ରେଜିଷ୍ଟ୍ରେସନ୍ କଲେ ନାହିଁ। ଫଳରେ ହିତାଧିକାରୀମାନେ ଅର୍ଥ ଦେଇ ହତାସ ହେଲେ।

ପରବର୍ତ୍ତୀ ସମୟରେ ଏହି ଘଟଣାକୁ ନେଇ ନାନା ବିବାଦ ଉପୁଜିଲା। ବୀମା କମ୍ପାନୀ ହିତାଧିକାରୀଙ୍କୁ ତାଙ୍କ ଅର୍ଥ ଫେରାଇ ଦେଲା। ହେଲେ ଯେଉଁ ହିତାଧିକାରୀମାନେ କୌଣସି ମଧ୍ୟସ୍ଥି ଜରିଆରେ ବୀମାରାଶି ଦେଇଥିଲେ, ସେମାନଙ୍କ ମଧ୍ୟରୁ କେତେଜଣ ଆଜି ପର୍ଯ୍ୟନ୍ତ ତାଙ୍କ ଅଥ ଫେରସ୍ତ ପାଇ ନାହାନ୍ତି ବୋଲି ଓଡ଼ିଶା ବିକଳାଙ୍ଗ ମଞ୍ଚର କାର୍ଯ୍ୟକାରୀ ସଭ୍ୟ ହେମନ୍ତ କୁମାର ସୁବୁଦ୍ଧି କହିଛନ୍ତି। ବର୍ତ୍ତମାନ ବି ସେହି ବୀମା କମ୍ପାନୀ ରହିଛି। ହେଲେ କେନ୍ଦ୍ର ସରକାର ତାଙ୍କ ଅର୍ଥ ଦେଇପାରି ନାହାନ୍ତି ବୋଲି ବୀମା ଯୋଜନାଟି କାର୍ଯ୍ୟକାରୀ ହୋଇପାରୁନାହିଁ ବୋଲି ସେ କହିଛନ୍ତି। ଏନେଇ ମଞ୍ଚ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଏହି ବୀମା ଯୋଜନା କାର୍ଯ୍ୟକାରୀ କରିବା ଲାଗି ଦାବିପତ୍ର ପ୍ରଦାନ କରାଯାଇଛି।