ତୃତୀୟ କରୋନା ପଜିଟିଭ ସମ୍ପର୍କରେ ବିସ୍ତୃତ ତଥ୍ୟ, ଓଡ଼ିଶାରେ ଷ୍ଟେଜ-୩ ସମ୍ଭାବନା ଦେଖା ଦେଉଛି: ବାଗଚୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ନୂତନ ଗାଇଡଲାଇନ ଜାରି କରିବା ସହ ତୃତୀୟ କରୋନା ପଜିଟିଭ ବ୍ୟକ୍ତି ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦନା କରିଛନ୍ତି କରୋନା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗତୀ। ଏଥିସହ ବାଗଚୀ କହିଛନ୍ତି ଯେ ବର୍ତ୍ତମାନ ସହରରେ ଷ୍ଟେଜ-୩ ସମ୍ଭାବନା ଦେଖାଦେଉଛି। ପୂର୍ବରୁ ବିଦେଶରୁ ଆସୁଥିବା ବ୍ୟକ୍ତି ସଂକ୍ରମଣ ହେଉଥିବା ବେଳେ ବର୍ତ୍ତମାନ ଦିଲ୍ଲୀ ଓ ହରିୟାଣାରୁ ଫେରି ସଂକ୍ରମଣର ଶିକାର ହୋଇଛନ୍ତି। ତେବେ ଏଥିପ୍ରତି ଆମକୁ ଅଧିକ ସତର୍କ ରହିବାକୁ ଶ୍ରୀ ବାଗଚୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗୁରୁବାର ଜଣେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହି ରୋଗୀଙ୍କ ସମ୍ପର୍କରେ ଶୁକ୍ରବାର ବାଗ୍‌ଚୀ ବିସ୍ତୃତ ସୂଚନା ଦେଇଛନ୍ତି। ବାଗ୍‌ଚୀଙ୍କ କହିବା ଅନୁସାରେ, ୩ୟ ଆକ୍ରାନ୍ତଙ୍କ ବୟସ ୬୦ ବର୍ଷ। ସେ ଗତ ମାର୍ଚ୍ଚ ୭ରେ ଦିଲ୍ଲୀ ଯାଇଥିଲେ। ସେଠାରୁ ହରିୟାଣା ରିୱାଡା ଯାଇ ୧୦ ତାରିଖରେ ଇଣ୍ଡିଗୋ ବିମାନ (୬ଇ ୨୦୧୪) ଯୋଗେ ଭୁବନେଶ୍ଵର ଫେରିଥିଲେ। ସାଥୀରେ ପତ୍ନୀ ଏବଂ ଝିଅ ଥିଲେ। ଘରକୁ ଆସିବା ପରେ ଗତ ୧୩ ତାରିଖରେ ସେ ଅସୁସ୍ଥ ଅନୁଭବ କରିଥିଲେ। ଏହା ପରେ ୧୬ ତାରିଖ ଦିନ ସେ ଚିକିତ୍ସା ପାଇଁ ବିଧାନସଭାର ଡିସପେନ୍‌ସାରିକୁ ଯାଇଥିଲେ।

ଏହା ପରେ ୨୧ ତାରିଖରେ ୟୁନିଟ-୪ ସ୍ଥିତ କର କ୍ଲିନିକ ଓପିଡ଼ିକୁ ଚିକିତ୍ସା ପାଇଁ ଯାଇଥିଲେ। ୨୩ ତାରିଖରେ ସେ କର କ୍ଲିନିକରେ ଆଡ୍‌ମିଟ ହୋଇ ଆଇସିୟୁରେ ରହି ଚିକିତ୍ସିତ ହୋଇଥିଲେ। ସେଠାରେ ଗୋଟିଏ ଦିନ ରହିବା ପରେ ୨୫ ତାରିଖରେ କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ। ୨୫ ତାରିଖ ଦିନ କ୍ୟାପିଟାଲ ହସ୍ପିଟାଲରେ ତାଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ୨୬ ତାରିଖରେ ତାହା କରୋନା ପଜିଟିଭ୍‌ ଆସିଥିଲା। ଏହା ପରେ ତାଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ ଠାବ କରିବାର ପ୍ରକ୍ରିୟା ଚାଲିଛି। ତାଙ୍କ ଝିଅ, ପତ୍ନୀ ଏବଂ ଡ୍ରାଇଭରଙ୍କୁ ଆଇସୋଲେଶନରେ ରଖାଯାଇଛି ବୋଲି ବାଗ୍‌ଚୀ କହିଛନ୍ତି।

ତେବେ ୩ୟ ଆକ୍ରାନ୍ତ ଚିହ୍ନଟ ହେବା ପରେ ଓଡ଼ିଶାରେ କରୋନା ଭୂତାଣୁ ସମୂହ ସଂକ୍ରମଣ ଆଡକୁ ଗତି କରିବାର ଆଭାସ ମିଳୁଛି ବୋଲି ବାଗ୍‌ଚୀ କହିଛନ୍ତି।