ସଂସଦ ଭବନ ପାଖରୁ ଧରାପଡ଼ିଲା ସନ୍ଦିଗ୍ଧ : କୋଡୱାର୍ଡ ଚିଠି ଜବତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ସଂସଦ ଭବନ ନିକଟସ୍ଥ ବିଜୟ ଚୌକରୁ ଜଣେ ସନ୍ଦିଗ୍ଧଙ୍କୁ ସିଆରପିଏଫ୍ ଯବାନ ଧରିଛନ୍ତି। ସୁରକ୍ଷା ଦାୟିତ୍ୱରେ ଥିବା ଯବାନଙ୍କ ନଜର ଯେତେବେଳେ ସନ୍ଦିଗ୍ଧ ଉପରେ ପଡ଼ିଲା ସେମାନେ ତୁରନ୍ତ ତାକୁ କାବୁ କରି ନେଇଥିଲେ। ଧରା ପଡ଼ିଥିବା ସନ୍ଦିଗ୍ଧ ବ୍ୟକ୍ତି ପାଖରୁ କୋର୍ଡୱାର୍ଡରେ ଲେଖା ହୋଇଥିବା ଏକ ଚିଠି ମିଳିଛି ଯାହାକି ସନ୍ଦେହକୁ ଆହୁରି ଘନୀଭୂତ କରିଛି। କେବଳ ଏତିକି ନୁହେଁ, ପଚରାଉଚୁରା ସମୟରେ ଭିନ୍ନ ଭିନ୍ନ ସୂଚନା ଦେଉଥିବା ସନ୍ଦିଗ୍ଧଠାରୁ ୨ଟି ଭିନ୍ନ ଭିନ୍ନ ପରିଚୟ ପତ୍ର ଜବତ କରାଯାଇଛି। ପ୍ରଥମ ପରିଚୟ ପତ୍ର ଡ୍ରାଇଭିଂ ଲାଇସେନ୍ସ ହୋଇଥିବାବେଳେ ସେଥିରେ ତା ନାମ ରଥସାମ ବୀରବାହ ରହିଛି। ଆଉ ଦ୍ୱିତୀୟ ପରିଚୟ ପତ୍ର ଆଧାର କାର୍ଡ ହୋଇଥିବାବେଳେ ସେଥିରେ ମଞ୍ଜର ମହମ୍ମଦ ନାମ ରହିଛି। ଦୁଇଟିଯାକ ପରିଚୟ ପତ୍ରରେ ସେ ଜମ୍ମୁ-କଶ୍ମୀର ବାସିନ୍ଦା ବୋଲି ଜଣାପଡ଼ିଛି।

ପ୍ରାରମ୍ଭିକ ପଚରାଉଚୁରାରୁ ଜଣାପଡ଼ିଛି ଯେ, ସନ୍ଦିଗ୍ଧ ବ୍ୟକ୍ତି ଜଣକ ଜାମା ମସଜିଦ, ଜାମିଆ ଓ ନିଜାମୁଦ୍ଦୀନରେ ରହୁଥିଲା। ସେ ବାରମ୍ବାର ବୟାନ ବଦଳାଉଥିବାରୁ ସିଆରପିଏଫ୍ ତାକୁ ପୁଲିସକୁ ହସ୍ତାନ୍ତର କରିଛି। ସଂସଦ ଭବନ ଥାନାରେ ଏବେ ସନ୍ଦିଗ୍ଧକୁ ପଚରାଉଚୁରା କରାଯାଉଥିବାବେଳେ ଅନ୍ୟ ଯାଞ୍ଚ ଏଜେନ୍ସିକୁ ମଧ୍ୟ ସୂଚନା ଦିଆଯାଇଛି।