ମୁମ୍ବାଇ, ଏଜେନ୍ସି : ସୁଶାନ୍ତ ସିଂହ ରାଜପୁତଙ୍କ ଉପରେ ଆଧାରିତ ଫିଲ୍ମ ‘ଶଶାଙ୍କ’କୁ ବୟକଟ କରିବାକୁ ଅନୁରୋଧ କରିଛନ୍ତି ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂହ କୀର୍ତ୍ତି। ସୂଚନାଯୋଗ୍ୟ, ବର୍ତ୍ତମାନ ଇଡି, ସିବିଆଇ ଓ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ କରୁଛନ୍ତି।
ଏଭଳି ପରିସ୍ଥିତିରେ ‘ଶଶାଙ୍କ’ ଫିଲ୍ମର ଦୁଇଟି ପୋଷ୍ଟର ଜାରି କରାଯାଇ ଏହା ଜଣେ ଯୁବ ତାରକାଙ୍କ ରହସ୍ୟଜନକ ମୃତ୍ୟୁ ଏବଂ ବଲିଉଡରେ ଚାଲିଥିବା ନେପୋଟିଜମ ଉପରେ ଆଧାରିତ ବୋଲି ଘୋଷଣା କରାଯାଇଛି। ଦୁଇ ପୋଷ୍ଟରରେ ଦେଖିବାକୁ ମିଳୁଛନ୍ତି ଆର୍ଯ୍ୟ ବବର ଓ ରାଜବୀର ସିଂହ। ତେବେ ଏହି ଦୁଇ ପୋଷ୍ଟରରେ ‘ଡିପ୍ରେସନ’ ଓ ‘ହାରାସମେଣ୍ଟ’ର ସ୍ପେଲିଂ ଭୁଲ ଥିବାରୁ ଏହାକୁ ନେଇ ସମାଲୋଚନା କରାଯାଇଥିଲା।
ଏହି ଫିଲ୍ମ ଓ ଏହାର ପ୍ରଯୋଜକଙ୍କୁ ବର୍ଜନ କରିବାକୁ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ଅନୁରୋଧ କରିଛନ୍ତି। ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାକୁ ନେଇ ‘ସୁଇସାଇଡ ଔର ମର୍ଡର’ ନାମରେ ଆଉ ଏକ ଫିଲ୍ମ ଘୋଷଣା ହୋଇଛି। ଏଥିରେ ସୁଶାନ୍ତଙ୍କ ଭଳି ଦିଶୁଥିବା ସଚିନ ତିୱାରୀ ମୁଖ୍ୟ ଚରିତ୍ର ନିର୍ବାହ କରିବେ।