ବଢ଼ୁଛନ୍ତି ସୁଶାନ୍ତଙ୍କ ଫଲୋଅର୍ସ

ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁକୁ ଏହାରି ମଧ୍ୟରେ ଦୁଇ ସପ୍ତାହ ପୂରିଗଲାଣି। ଆଜି ବି ଏହି ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ତାଙ୍କର ସହ-କଳାକାର, ପ୍ରଶଂସକ ଓ ସିନେପ୍ରେମୀ। କେବଳ ଏତିକି ନୁହେଁ, ସୁଶାନ୍ତଙ୍କ ଇନଷ୍ଟାଗ୍ରାମ ଏକାଉଣ୍ଟରେ ମଧ୍ୟ ଲୋକମାନେ ତାଙ୍କ ପୁରୁଣା ପୋଷ୍ଟଗୁଡ଼ିକରେ ପ୍ରତିକ୍ରିୟା ଦେଉଛନ୍ତି ଏବଂ ତାଙ୍କୁ ଫଲୋ ମଧ୍ୟ କରୁଛନ୍ତି। ଜୁନ ୧୪ରେ ସୁଶାନ୍ତଙ୍କ ମୃତ୍ୟୁ ପରେ ଇନଷ୍ଟାଗ୍ରାମରେ ତାଙ୍କର ଫଲୋଅର୍ସ ବଢ଼ିଛନ୍ତି। ଏକାଧିକ ମିଡିଆ ରିପୋର୍ଟରେ କୁହାଯାଇଛି ଯେ, ମୃତ୍ୟୁ ପୂର୍ବରୁ ସୁଶାନ୍ତଙ୍କର ପ୍ରାୟ ୯ ମିଲିୟନ (୯୦ ଲକ୍ଷ) ଫଲୋଅର୍ସ ଥିଲେ।

ଦୁଇ ସପ୍ତାହ ମଧ୍ୟରେ ଇନଷ୍ଟାଗ୍ରାମରେ ତାଙ୍କର ଫଲୋଅର୍ସ ସଂଖ୍ୟା ବୃଦ୍ଧି ପାଇ ବର୍ତ୍ତମାନ ୧ କୋଟି ୩୯ ଲକ୍ଷରେ ପହଞ୍ଚିଯାଇଛି। ଏହି ହିସାବରେ ସୁଶାନ୍ତଙ୍କ ଏକାଉଣ୍ଟରେ ୫୦ ଲକ୍ଷ ଫଲୋଅର୍ସ ବଢ଼ିଛନ୍ତି। ଯଦିଓ ଏହି ଏକାଉଣ୍ଟରେ ସୁଶାନ୍ତ ଆଉ କୌଣସି ପୋଷ୍ଟ କରିବେ ନାହିଁ ତଥାପି ତାଙ୍କର ପ୍ରଶଂସକ ତାଙ୍କୁ ଫଲୋ କରୁଛନ୍ତି। ସୁଶାନ୍ତଙ୍କ ଫଲୋଅର୍ସଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ସୁଶାନ୍ତଙ୍କ ପ୍ରତି ପ୍ରଶଂସକଙ୍କ ଭଲପାଇବା ଦେଖି ତାଙ୍କ ଏକାଉଣ୍ଟକୁ ମେମୋରାଲାଇଜଡ କରିଦିଆଯାଇଛି। ସୁଶାନ୍ତଙ୍କ ବାୟୋରେ ତାଙ୍କ ନାମ ପୂର୍ବରୁ ରିମେମ୍ବରିଙ୍ଗ ଯୋଡ଼ି ଦିଆଯାଇଛି।

ସୁଶାନ୍ତ ବଲିଉଡର ଏକମାତ୍ର କଳାକାର ପାଲଟିଯାଇଛନ୍ତି, ଯାହାଙ୍କ ଏକାଉଣ୍ଟକୁ ଅମର କରି ଇନଷ୍ଟାଗ୍ରାମ୍ ଶ୍ରଦ୍ଧାଞ୍ଜଳି ଦେଇଛି। ଇନଷ୍ଟାଗ୍ରାମ୍ ଯେଉଁ ଏକାଉଣ୍ଟକୁ ମେମୋରାଲାଇଜଡ କରେ, ସେଥିରେ କୌଣସି ପରିବର୍ତ୍ତନ କରାଯାଇପାରିବ ନାହିଁ। ଏକ ପ୍ରକାରରେ ଏହା ଅନଲାଇନ୍ ସ୍ମାରକ ପାଲଟିଯାଏ। ଏଥିରୁ ପ୍ରଶଂସକ ତାଙ୍କର ଫଟୋ ଓ ଭିଡିଓ ଦେଖିପାରିବେ।