ମୁମ୍ବାଇ,ଏଜେନ୍ସି: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସନ୍ଦେହଜନକ ମୃତ୍ୟୁ ପରେ ତାଙ୍କର ଶବ ବ୍ୟବଛେଦ ଓ ଫରେନ୍ସିକ୍ ଯାଞ୍ଚରୁ ସେଭଳି କୌଣସି ତଥ୍ୟ ମିଳିନାହିଁ । ତାଙ୍କ ମୃତ୍ୟୁ ବାସ୍ତବରେ ଆତ୍ମହତ୍ୟା କି ହତ୍ୟା ତାହା ଜାଣିବା ପାଇଁ ଏମ୍ସର ଏକ ଡାକ୍ତରୀ ପ୍ୟାନେଲ ସୁଶାନ୍ତଙ୍କ ବ୍ୟବଛେଦ ରିପୋର୍ଟ ଓ ଭିସେରା ନମୁନାକୁ ନେଇ ତଦନ୍ତ ଆରମ୍ଭ କରିଥିଲେ । ଏମ୍ସର ଡାକ୍ତରୀ ଦଳ ତଦନ୍ତ କରିବା ପରେ ମଙ୍ଗଳବାର ସୁଶାନ୍ତଙ୍କ ମୃତ୍ୟୁ ମାମଲାର ଅନୁସନ୍ଧାନ ଦାୟିତ୍ୱ ନେଇଥିବା ସିବିଆଇକୁ ରିପୋର୍ଟ ପ୍ରଦାନ କରିଛି ।
ରିପୋର୍ଟରୁ ସୁଶାନ୍ତଙ୍କ ଶରୀରରେ କୌଣସି ପ୍ରକାରର ଜୈବିକ ବିଷ ଚିହ୍ନଟ ହୋଇନାହିଁ ବୋଲି ଉଲ୍ଲେଖ କରାଯାଇଛି । ସୁଶାନ୍ତଙ୍କ ଜୈବିକ ବିଷ (ଅର୍ଗାନିକ୍ ପଏଜନ୍) ଦେଇ ହତ୍ୟା କରାଯାଇଛି ବୋଲି ଅଭିଯୋଗ ଆସିବା ପରେ ସେପ୍ଟେମ୍ବର ୭ ତାରିଖରେ ସୁଶାନ୍ତଙ୍କ ଭିସେରା ନମୁନାକୁ ଏମ୍ସର ଡାକ୍ତରୀ ଦଳ ପୁନଃପରୀକ୍ଷା କରିଥିଲେ । ପୂର୍ବରୁ ସୁଶାନ୍ତଙ୍କ ପରିବାର ପକ୍ଷରୁ ଓକିଲ ବିକାଶ ଦୁବେ ଅଭିଯୋଗ ଆଣିଥିଲେ ଯେ, ଜଣେ ଏମ୍ସ ଡାକ୍ତର ତାଙ୍କ ଦ୍ୱାରା ପଠାଯାଇଥିବା ସୁଶାନ୍ତଙ୍କ ଫଟୋ ଦେଖି କହିଥିଲେ ଏହା ୨୦୦ ପ୍ରତିଶତ ହତ୍ୟା ମାମଲା । ମାତ୍ର ଦୁବେଙ୍କର ଏହି ଅଭିଯୋଗକୁ ଅସ୍ୱୀକାର କରି ଏମ୍ସର ବରିଷ୍ଠ ଡାକ୍ତର ସୁଧୀର ଗୁପ୍ତା କହିଥିଲେ, ‘କୌଣସି ଫଟୋ ଦେଖି ତାହା ହତ୍ୟା କି ଆତ୍ମହତ୍ୟା କୁହାଯାଇପାରିବ ନାହିଁ । ଘଟଣାର ତଦନ୍ତ ଜାରିରହିଛି ।’