ଗାର୍ଲଫ୍ରେଣ୍ଡ ରିୟାଙ୍କୁ ଦାୟୀ କରି ଥାନାରେ ଅଭିଯୋଗ ଦାୟର କଲେ ସୁଶାନ୍ତଙ୍କ ବାପା

ମୁମ୍ୱାଇ,ଏନ୍ଏନ୍ଏସ୍: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ନୂଆ ମୋଡ଼ ଦେଖିବାକୁ ମିଳିଛି। ସୁଶାନ୍ତଙ୍କ ବାପା କେ କେ ସିଂ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ପାଟନାର ରାଜୀବ ନଗର ପୁଲିସ ଷ୍ଟେସନରେ ଏକ ମାମଲା ରୁଜୁ କରିଛନ୍ତି। କେ କେ ସିଂ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ମୁମ୍ୱାଇ ପୁଲିସ ତଦନ୍ତ ଉପରେ ମୋର ଭରସା ପାଉନି, ତେଣୁ ମୁଁ ଚାହୁଁଛି ଯେ ବିହାର ପୁଲିସ ମଧ୍ୟ ଏହି ଘଟଣାର ତଦନ୍ତ କରୁ। ସେହିପରି କେ କେ ସିଂ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। କେ.କେ ସିଂଙ୍କ ଅଭିଯୋଗ ଅନୁସାରେ, ରିୟା ସୁଶାନ୍ତଙ୍କୁ ପ୍ରତାରଣା କରି ତାଙ୍କ ଟଙ୍କା ହଡପ କରିଛନ୍ତି। ପରେ ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଛନ୍ତି।

ସୁଶାନ୍ତଙ୍କ ବାପା ଅଭିଯୋଗ ଆଣି କହିଛନ୍ତି ଯେ ସେ(ରିୟା) ସୁଶାନ୍ତଙ୍କୁ କହିଥିଲେ ଯେ ଯଦି ତୁମେ ମୋର କଥା ଶୁଣିବ ନାହିଁ, ତେବେ ମୁଁ ମିଡିଆରେ ତୁମର ଡାକ୍ତରୀ ରିପୋର୍ଟକୁ ଭାଇରାଲ କରିଦେବି ଏବଂ ସମସ୍ତଙ୍କୁ କହିବି ଯେ ତୁମେ ପାଗଳ ହୋଇଯାଇଛ। ଏହାପରେ ରିୟା ସୁଶାନ୍ତଙ୍କ ଘରୁ ବହୁ ନଗଦ ଟଙ୍କା, ଅଳଙ୍କାର, ଲାପଟପ୍, କ୍ରେଡିଟ୍ କାର୍ଡ, ସୁଶାନ୍ତଙ୍କ ସମସ୍ତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ସମସ୍ତ ଡାକ୍ତରୀ କାଗଜପତ୍ର ମଧ୍ୟ ସାଙ୍ଗରେ ନେଇ ପଳାଇଥିଲେ ।

‘ଯିବା ପରେ ସେ ମୋ ପୁଅ ସୁଶାନ୍ତଙ୍କ ଫୋନ ନମ୍ବରକୁ ତାଙ୍କ ଫୋନରେ ବ୍ଲକ୍ କରିଦେଇଥିଲେ। ଏହା ପରେ ସୁଶାନ୍ତ ଭଉଣୀକୁ ଫୋନ କରି କହିଥିଲେ ଯେ ରିୟା ମୋତେ କୌଣସି ଜାଲରେ ଫସାଇବା ପାଇଁ ଚାହୁଁଛି, ସେ ଏଠାରୁ ବହୁତ କିଛି ଜିନିଷ ନିଜ ସାଙ୍ଗରେ ନେଇକି ପଳାଇଛି। ମୋତେ ଧମକ ଦେଇ ଯାଇଛି ଯେ ଯଦି ତୁମେ ମୋ କଥା ନ ଶୁଣ, ତେବେ ମୁଁ ତୁମର ଚିକିତ୍ସାର ସମସ୍ତ କାଗଜପତ୍ର ଗଣମାଧ୍ୟମକୁ ଦେଇଦେବି।’

ଏନେଇ ପୁଲିସ ଆଇପିସି ଧାରା ୩୪୧, ୩୪୨, ୩୮୦, ୪୦୬, ୪୨୦, ୩୦୬ ଅନୁଯାୟୀ ମାମଲା ପଞ୍ଜିକୃତ କରିଛି। ପାଟଣାର ଏସଏସପି ଉପେନ୍ଦ୍ର ଶର୍ମାଙ୍କ ନିର୍ଦ୍ଦେଶରେ ରାଜୀବ ନଗର ପୁଲିସ ଷ୍ଟେସନକୁ ଏହି ମାମଲାର ଆଇଓ କରାଯାଇଛି। ୪ ଜଣିଆ ସଦସ୍ୟ ବିଶିଷ୍ଟ ଏକ ପୁଲିସ ଟିମକୁ ଘଟଣାର ତଦନ୍ତ ପାଇଁ ମୁମ୍ୱାଇ ପଠାଯାଇଛି। ଏହି ଟିମ୍ ମୁମ୍ବାଇ ପୁଲିସକୁ ଭେଟି କେସ୍ ଡାଏରୀ ବ୍ୟତୀତ ଆବଶ୍ୟକ ଦସ୍ତାବିଜ ସଂଗ୍ରହ କରିବେ। ଏହି ଟିମରେ ୨ ଜଣ ଇନ୍ସପେକ୍ଟର ଏବଂ ୨ ଜଣ ସବଇନ୍ସପେକ୍ଟର ରହିଛନ୍ତି।

ସୁଶାନ୍ତଙ୍କ ପିତା ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ମୋ ପୁଅ ସୁଶାନ୍ତ ଫିଲ୍ମ ଲାଇନ ଛାଡି କେରଳରେ ଜୈବିକ ଚାଷ କରିବାକୁ ଚାହୁଁଥିଲେ, ତାଙ୍କ ବନ୍ଧୁ ମହେଶ ତାଙ୍କ ସହ କୋର୍ଗ ଯିବାକୁ ମଧ୍ୟ ପ୍ରସ୍ତୁତ ଥିଲେ ହେଲେ ରିୟା ଏହାକୁ ଦୃଢ ଭାବେ ବିରୋଧ କରିଥିଲେ।