ସୁରତରେ ଶ୍ରମିକଙ୍କର ଲଙ୍କାକାଣ୍ଡ

ସୁରତ : ଲକଡାଉନ୍ ହେତୁ ଦେଖାଦେଇଥିବା ବେରୋଜଗାରୀ ଓ ଭୋକର ଜ୍ୱାଳା ଶୁକ୍ରବାର ରାତିରେ ଉଗ୍ର ରୂପ ନେଇଛି। ଗୁଜରାଟର ସୁରତର ଡାଇମଣ୍ଡନଗର ଅଂଚଳରେ ଲକ ଡାଉନକୁ ଖାତିର ନକରି ସୂତାକଳରେ କାମ କରୁଥିବା ଓଡ଼ିଆ ଶ୍ରମିକ ରାଜରାସ୍ତାକୁ ଓହ୍ଲାଇ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ବ୍ୟାପକ ପୋଡ଼ାଜଳା କରିଥିଲେ। ରାସ୍ତାକଡ଼ରେ ରହିଥିବା ଉଠାଦୋକାନ ଗୁଡ଼ିକୁ ପୋଡ଼ାଜଳା କରିଥିଲେ।

ସୂଚନା ଅନୁଯାୟୀ, ଗୁଜରାଟର ସୁରତ ସହର ଠାରୁ ୧୬କି.ମି ଦୂର ଡାଇମଣ୍ଡ ନଗରରେ ଥିବା ଶତାଧିକ ସୂତାକଳରେ କାମ କରୁଥିବା ପ୍ରାୟ ୪୦ହଜାର ଶ୍ରମିକ ସେହି ଅଂଚଳରେ ଭଡ଼ା ଘରେ ଓ ବିଭିନ୍ନ ମେସରେ ରହୁଛନ୍ତି। ସେଠାରେ ୩୧ଟି ଛୋଟ ବଡ଼ ମେସ୍ ରହିଛି। ଉକ୍ତ ମେସ ଗୁଡ଼ିକରେ ପ୍ରାୟ ୧୦ହଜାର ଶ୍ରମିକ ରହୁଛନ୍ତି। ସମଗ୍ର ଦେଶରେ ଗତ ୨୨ତାରିଖରୁ ଲକଡାଉନ ଘୋଷଣା ଠାରୁ ସୂତାକଳ ଗୁଡ଼ିକ ବନ୍ଦ ହୋଇଯାଇଛି ।

ଶ୍ରମିକମାନଙ୍କ ସମସ୍ତ ମଜୁରି ଦେବା ଲାଗି ଗୁଜରାଟ ସରକାର ସୂତାକଳ ମାଲିକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ କମ୍ପାନି ଏହାର ଉଲ୍ଲଂଘନ କରିବେ ୧ ବର୍ଷ ଜେଲ ଦଣ୍ଡ ମିଳିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ଏହା ସତ୍ତେ୍ୱ କିଛି କମ୍ପାନି ଶ୍ରମିକଙ୍କୁ ପୂରା ମଜୁରି ଦେଇଥିବା ବେଳେ କିଛି ଅଧା ମଜୁରି ଦେଇଛନ୍ତି। କାମଧନ୍ଦା ହରାଇଥିବା ଶ୍ରମିକମାନଙ୍କ ସଂଚିତ ଅର୍ଥ ବି ସରିବାରେ ଲାଗିଛି। ବେରୋଜଗାରୀ ଓ ଅର୍ଥାଭାବ ସୂତାକଳ ଶ୍ରମିକମାନଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହାର ପ୍ରତିବାଦରେ ଶ୍ରମିକମାନେ ରାଜରାସ୍ତାକୁ ଓହ୍ଲାଇ ପୋଡ଼ାଜଳା କରିଛନ୍ତି।