ଷ୍ଟୁଡିଓରେ ରାପ୍ ଗାଇଲେ ସୁର ରାଉତରାୟ

କଟକ,ଏନ୍ଏନ୍ଏସ୍ : ଓଡିଶା ରାଜନୀତିରେ ବିଭିନ୍ନ ବିତର୍କିତ ମନ୍ତବ୍ୟ ଦେଇ ସଦାସର୍ବଦା ଚର୍ଚ୍ଚାରେ ରହୁଥିବା କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀର ବିଧାୟକ ସୁରେଶ ରାଉତରାୟ ଏକ ମଜାଦାର ଗୀତ ଗାଇଛନ୍ତି। ଶୁକ୍ରବାର ଅପରାହ୍ଣରେ ସ୍ଥାନୀୟ ମିଲନ ଷ୍ଟୁଡିଓରେ ସେ ଗାଇଥିବା ଗୀତକୁ ରେକର୍ଡିଂ କରାଯାଇଛି। ସଂଗୀତ ନିର୍ଦ୍ଦେଶକ ଜାପାନୀ ଭାଇ ଏହି ଗୀତର ସଂଗୀତ ନିର୍ଦ୍ଦେଶନା ଦେଇଥିଲା ବେଳେ ଗୀତ ରଚନା କରିଛନ୍ତି ତପୁ ନାୟକ। ଅର୍ମାନ ମ୍ୟୁଜିକ୍ ଦ୍ୱାରା ପ୍ରାୟୋଜତ ଏହି ଗୀତରେ ମୁଖ୍ୟତଃ ଲୋପାମୁଦ୍ରା ନାୟକ ଓ ଜ୍ୟୋତିର୍ମୟୀ କଣ୍ଠଦାନ କରିଛନ୍ତି।

ଗୀତର ମଝିରେ ମଝିରେ ଶ୍ରୀ ରାଉତରାୟ ତାଙ୍କ ମଜାଳିଆ କଣ୍ଠରେ ରାପ୍ କରିଛନ୍ତି। -ଆସିଗଲା ସୁର ରାଉତ.. କଡ଼ା ଉପହାର ନେଇ ତ.. ଜାପାନୀ ଭାଇର ସଂଗୀତ..ଗୀତ ଲେଖିଛନ୍ତି ତପୁ ନାୟକ..ନାଚିବ ସମ୍ବଲପୁରୀ ତ..ରଙ୍ଗବତୀର ତାଲେତାଲେ ଝୁମିବାରେ ତମେ ଆସ ତ…। ଏହି ଗୀତର ଶୀର୍ଷରେ ରଙ୍ଗବତୀ ରଖାଯାଇଥିଲେ ମଧ୍ୟ ପ୍ରସିଦ୍ଧ ରଙ୍ଗବତୀ ଗୀତ ସହିତ ଏହାର କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି ସଂଗୀତ ନିର୍ଦ୍ଦେଶକ ଜାପାନୀ ଭାଇ । ରେକର୍ଡିଂ ବେଳେ ସୁରବାବୁ ତାଙ୍କ ସ୍ୱଭାବସୁଲଭ ଭଙ୍ଗୀରେ ଯେମିତି ରାପ୍ କରିଥିଲେ ଷ୍ଟୁଡିଓରେ ବେଶ୍ ହାସ୍ୟରୋଳ ସୃଷ୍ଟି କରିଥିଲା।