ଜଟଣୀବାସୀଙ୍କ ସ୍ଥିତିବାନ ଜମି ସରକାର ନଫେରାଇଲେ ବଡ଼ ଧରଣର ଆନ୍ଦୋଳନ ହେବ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଖୋର୍ଦ୍ଧା ଜିଲ୍ଲାର ସମସ୍ତ ମୂଲ୍ୟବାନ ଜମିକୁ ଇଡକୋ ଜରିଆରେ ରାଜ୍ୟ ସରକାର ଶାଗମାଛ ଦରରେ ବିକୁଛନ୍ତି। ରାଜ୍ୟ ସରକାର ୧୮ ହଜାର କୋଟି ଟଙ୍କାର ମୂଲ୍ୟବାନ ଜମିକୁ ୫ ହଜାର କୋଟି ଟଙ୍କାରେ ବିକ୍ରୀ କରି ହଜାର ହଜାର କୋଟି ଟଙ୍କା ଆତ୍ମସାତ କରିଛନ୍ତି। ଏହି ଦୁର୍ନୀତିକୁ ସିବିଆଇ ଦ୍ୱାରା ତଦନ୍ତ କରାଯାଉ। ଏହାଫଳରେ ପ୍ରକୃତ ତଥ୍ୟ ଲୋକଲୋଚନକୁ ଆସିପାରିବ। ସରକାର ସମ୍ପୂର୍ଣ୍ଣ ଜାଗା ଇଡକୋକୁ ନଦେଇ ଗ୍ରାମରେ ଖେଳ ପଡ଼ିଆ, ମେଳଣ ପଡ଼ିଆ, ସ୍କୁଲ ପଡ଼ିଆ ଓ ଜଙ୍ଗଲ ସୃଷ୍ଟି କରାଯାଉ। ଯଦି ମାର୍ଚ୍ଚ ୧ ତାରିଖ ସୁଦ୍ଧା ଜଟଣୀବାସୀଙ୍କ ସ୍ଥିତିବାନ ଜମିକୁ ଫେରାଇ ନଦିଆଯାଏ, ରାଜ୍ୟ ସରକାରଙ୍କ ଉଦାସୀନତାର ଶିକାର ହୋଇଥିବା ଉପରୋକ୍ତ ଅଞ୍ଚଳର ସମସ୍ତ ଅଧିବାସୀ ଲୋକସେବା ଭବନକୁ ମାର୍ଚ୍ଚ ୧ ତାରିଖରେ ଘେରାଉ କରିବୁ। ଏହାର ପରିଣତି ପାଇଁ ସରକାର ଦାୟୀ ରହିବେ ବୋଲି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଅଭିଯୋଗ କରିଛନ୍ତି।
କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରାଉତରାୟ କହିଛନ୍ତି ଯେ, ଜଟଣୀ ମ୍ୟୁନିସିପାଲିଟି ଓ ତା’ର ପାଶ୍ୱର୍ବର୍ତ୍ତୀ ୧୩ଟି ଗ୍ରାମର ସମସ୍ତ ସ୍ଥିତିବାନ ସମ୍ପତ୍ତିକୁ ୨୦୧୨ରେ ହଠାତ ଜଣେ ସେଟଲମେଣ୍ଟ ଅଫିସର ଆସି ଶ୍ରୀ ଜଗନ୍ନାଥ ନାମରେ ନାମିତ କରିଛନ୍ତି। ଏ ଅଞ୍ଚଳର ଜନସାଧାରଣଙ୍କ ସ୍ଥିତିବାନ ସମ୍ପତ୍ତି ଜଗନ୍ନାଥଙ୍କ ନାମରେ ନାମିତ ହେବା ଦ୍ୱାରା ଭାରତ ସରକାର ଓ ଓଡ଼ିଶା ସରକାରଙ୍କ କୌଣସି ଯୋଜନାରେ ଉନ୍ନତିମୂଳକ କାର୍ଯ୍ୟକ୍ରମ ହୋଇପାରିନାହିଁ। ଯଥା ସ୍କୁଲଘର,ଡାକ୍ତରଖାନା, ରାସ୍ତାଘାଟ, ପାଠାଗାର, କମ୍ୟୁନିଟି ସେଣ୍ଟର, ଭାଗବତ ଟୁଙ୍ଗି ପରି କୌଣସି କାର୍ଯ୍ୟ ହୋଇପାରୁ ନାହିଁ। ଏହି ଜମି ବିକ୍ରି ଖର୍ଦ୍ଦି ହୋଇପାରୁ ନାହିଁ। ଫଳରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଏବଂ ବିଭାଘର, ବ୍ରତ ଘର, ବାପ ମା’ଙ୍କ ଶୁଦ୍ଧିକ୍ରିୟା ଇତ୍ୟାଦି ସାମାଜିକ କାର୍ଯ୍ୟକ୍ରମ ନିର୍ବାହ କରିବା ପାଇଁ ଆବଶ୍ୟକସ୍ଥଳେ ଏଠିକାର ଲୋକ ନିଜ ଜମିକୁ ବିକ୍ରୟ କରିପାରୁ ନାହାନ୍ତି। ୨୦୧୨ ପୂର୍ବରୁ ଏଠିକାର ଜମିଜମା, ଘରଡ଼ିହ ଯେଉଁ ସ୍ଥିତିରେ ସେହିଭଳି ସ୍ଥିତିକୁ ଆଣିବା ପାଇଁ ବାରମ୍ବାର ସରକାରଙ୍କ ନିକଟରେ ଏବଂ ବିଧାନସଭାରେ ଅନୁରୋଧ କଲେ ମଧ୍ୟ କୌଣସି ସୁଫଳ ମିଲିଲା ନାହିଁ। ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଶାନ୍ତିପୂର୍ଣ୍ଣ ଭାବରେ ବହୁବାର ଆନ୍ଦୋଳନାତ୍ମକ ଭୂମିକା ନେଇଥିଲେ ମଧ୍ୟ କିଛି ନ୍ୟାୟ ପାଇପାରିଲୁ ନାହିଁ। ଏହି ସାମ୍ବାଦିକ ସମ୍ମିଳନୀରେ ରଶ୍ମି ମହାପାତ୍ର, ମନୋରଞ୍ଜନ ଦାଶ, ଚିନ୍ମୟ ସୁନ୍ଦର ଦାସ, ଲିଙ୍ଗରାଜ ସାହୁ, ବିବେକାନନ୍ଦ ବଡ଼ଜେନା, ବିଭୂତିଭୂଷଣ ସାମନ୍ତରାୟ, ତ୍ରିଲୋଚନ ପ୍ରଧାନ ଓ ସୁଧାଂଶୁ ମୋହନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।