ଅକ୍ଷୟଙ୍କ ସରପ୍ରାଇଜ୍

ପ୍ରଶଂସକଙ୍କୁ ସପ୍ରାଇଜ୍ ପରେ ସପ୍ରାଇଜ୍ ଦେଇ ଚାଲିଛନ୍ତି ଖିଲାଡ଼ିଷ୍ଟାର୍ ଅକ୍ଷୟ କୁମାର। ପ୍ରଥମେ ସେ ‘ହାଉସଫୁଲ୍ ୪’ର ଲୁକ୍ରେ ସିନେପ୍ରେମୀଙ୍କ ଭିତରେ ଉତ୍କଣ୍ଠା ଭରିଦେଇଥିଲେ। ନିକଟରେ ପୁଣି ସେ ‘ଲକ୍ଷ୍ମୀ ବମ୍’ର ଦମଦାର ଲୁକ୍ ସେୟାର୍ କରି ସମସ୍ତଙ୍କୁ ଚମକେଇ ଦେଇଛନ୍ତି। ଏହି ଲୁକ୍ ରେ ଅକ୍ଷୟ ଶାଢ଼ି ପିନ୍ଧିଛନ୍ତି, ମଥାରେ ବଡ଼ ବିନ୍ଦି ଲଗାଇ ମା’ ଦୁର୍ଗାଙ୍ଗ ପ୍ରତିମୂର୍ତ୍ତି ସାମ୍ନାରେ ଠିଆ ହୋଇଛନ୍ତି। ଅସଲ କଥା ହେଉଛି, ‘ଲକ୍ଷ୍ମୀ ବମ୍’ରେ ଜଣେ କିନ୍ନର ଚରିତ୍ରରେ ଅଭିନୟ କରୁଛନ୍ତି ଅକ୍ଷୟ।

ତାଙ୍କର ଚରିତ୍ର ଅନୁସାରେ ଏହି ଲୁକ୍ ତାଙ୍କୁ ଖୁବ୍ ମାନୁଛି। ଅନ୍ୟପକ୍ଷରେ ଅକ୍ଷୟଙ୍କ ଏଭଳି ଲୁକ୍ କୁ ଖୁବ୍ ପସନ୍ଦ କରିଛନ୍ତି ଦର୍ଶକ। ଏହି ଭିନ୍ନ ଲୁକ୍ କୁ ସୋସିଆଲ୍ ମିଡିଆରେ ପୋଷ୍ଟ କରିବା ସହିତ ଅକ୍ଷୟ ଲେଖିଛନ୍ତି – ‘ନବରାତ୍ରି ଅଧିଷ୍ଠାତ୍ରୀ ଦେବୀଙ୍କୁ ପ୍ରଣାମ କରିବା ଏବଂ ଅସୀମ ଶକ୍ତିର ଉତ୍ସବ ପାଳିବା ପର୍ବ। ଏହି ଶୁଭ ଅବସରରେ ମୁଁ ଲକ୍ଷ୍ମୀର ଲୁକ୍ ସେୟାର କରୁଛି। ଏହା ଏଭଳି ଏକ ଚରିତ୍ର, ଯାହାକୁ ନେଇ ମୁଁ ଉତ୍ସାହିତ ଓ ବିଚଳିତ ଅଛି।’ ଏ ଫଟୋଟିକୁ ଦେଖି ଯେ କେହି କହିପାରିବ ଯେ, ଫିଲ୍ମରେ ଅକ୍ଷୟ ଅଭିନୟ କରିଥିବା ଚରିତ୍ର ନିଶ୍ଚିତ ଭାବେ ନିଆରା ଓ ଦମଦାର।

ଉଲ୍ଲେଖଯୋଗ୍ୟ, ଅକ୍ଷୟଙ୍କ ‘ଲକ୍ଷ୍ମୀ ବମ୍’ ଏକ ହରର୍ କମେଡି ଡ୍ରାମା ଆଧାରିତ। ଏହା ତାମିଲ ଫିଲ୍ମ ‘କଞ୍ଚନା’ର ରିମେକ୍ ବୋଲି କୁହାଯାଉଛି। ସାଉଥ୍ ର ନାମୀ କଳାକାର ରାଘବ ଲରେନ୍ସ ଏ ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି। ଫିଲ୍ମରେ ଅକ୍ଷୟଙ୍କ ବିପକ୍ଷରେ ଅଛନ୍ତି କିଆରା ଆଡଭାନୀ। ୨୦୨୦ ଜୁନ୍ ୫ରେ ଏ ଫିଲ୍ମଟି ପ୍ରେକ୍ଷାଳୟକୁ ଆସିବ।