ଅଡ୍-ଇଭେନ୍ ସମାଧାନ ନୁହେଁ: ସୁପ୍ରିମକୋର୍ଟ

ଚାରି ରାଜ୍ୟ ସରକାରଙ୍କୁ ନୋଟିସ୍

ନୂଆଦିଲ୍ଲୀ, ଏଜେନ୍ସି : ଦିଲ୍ଲୀ ବାୟୁ ପ୍ରଦୂଷଣ ପ୍ରତି ଗଭୀର ଉଦବେଗ ପ୍ରକାଶ କରି ଓଡ୍-ଇଭେନ୍ ଗାଡ଼ି ଚଳାଚଳ ସମସ୍ୟାର ସ୍ଥାୟୀ ସମାଧାନ ନୁହେଁ ବୋଲି ଶୁକ୍ରବାର ମତପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ମଧ୍ୟମ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ଚାରିଚକିଆ ବ୍ୟବହାର ନକରି ମଧ୍ୟ ପ୍ରତିଷ୍ଠିତ ଲୋକଙ୍କ ଭଳି ଦୁର୍ଦ୍ଦଶା ଭୋଗୁଥିବାର ସୁପ୍ରିମକୋର୍ଟ ହୃଦୟଙ୍ଗମ କରିଛନ୍ତି। ଦିଲ୍ଲୀ ସରକାରଙ୍କ ୧୫ ଦିନିଆ ଓଡ୍-ଇଭେନ୍ ଯୋଜନା କ୍ରମଶଃ ଶେଷଦିନରେ ପହଞ୍ôଚଛି। ଆସନ୍ତା ସୋମବାର ବୈଠକରେ ଓଡ୍-ଇଭେନ୍ ଯୋଜନା ଚାଲୁ ରହିବ କି ନା’, ସେ ସମ୍ପର୍କରେ ଦିଲ୍ଲୀ ସରକାର ନିଷ୍ପତ୍ତି ଗ୍ରହଣ କରିବେ।

କେନ୍ଦ୍ର ପ୍ରଦୂଷଣ ବୋର୍ଡ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଗାଡ଼ି ଚଳାଚଳ କାରଣରୁ ବାୟୁମଣ୍ଡଳରେ ମାତ୍ର ୩% ପ୍ରଦୂଷଣ ହାର ମିଶୁଛି। ଅଳିଆଗଦା, ନିର୍ମାଣ ପ୍ରକଳ୍ପ ଧୂଳିକଣା ଓ ରାସ୍ତାର ଧୂଳି ବାୟୁମଣ୍ଡଳକୁ ଅଧିକ ପ୍ରଦୂଷିତ କରୁଛି। ପ୍ରଦୂଷଣ ମାତ୍ରା ରୋକିବା ଦିଗରେ ହରିଆଣା, ପଞ୍ଜାବ, ଉତ୍ତର ପ୍ରଦେଶ ଓ ଦିଲ୍ଳୀ ସରକାର ବିଫଳ ହୋଇଥିବାର ଅନୁମାନ କରି ସୁପ୍ରିମକୋର୍ଟ ସମ୍ପୃକ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ନୋଟିସ୍ ପଠାଇ ନଭେମ୍ବର ୨୫ରେ କୋର୍ଟରେ ହାଜର ହେବାକୁ ଆଦେଶ ଦେଇଛନ୍ତି। ଦିଲ୍ଲୀ ସରକାର କୋର୍ଟଙ୍କୁ କହିଥିଲେ ଯେ ରାଜ୍ୟ ସରକାରଙ୍କ ନିକଟରେ ପର୍ଯ୍ୟାପ୍ତ ପରିମାଣର ପରିବହନ ବସ୍ ନଥିବାରୁ ଦୁଇଚକିଆ ଯାନ ଚଳାଚଳ ଉପରେ ଅଙ୍କୁଶ ଲଗାଇବା ଠିକ୍ ହେବନି। ଚାରିଚକିଆ ଯାନ ଚଳାଚଳ ଉପରେ ପ୍ରୟୋଗ କରାଯାଇଥିବା କଟକଣା ଦିଲ୍ଲୀ ବାୟୁମଣ୍ଡଳକୁ ନିୟନ୍ତ୍ରଣ କରିବାକୁ ସକ୍ଷମ ହେବ। ଜଷ୍ଟିସ୍ ଅରୁଣ ମିଶ୍ର ଓ ଜଷ୍ଟିସ୍ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଓଡ୍-ଇଭେନ୍ ଯୋଜନା ଦୀର୍ଘସ୍ଥାୟୀ ନୁହେଁ। ସରକାର ପବ୍ଲିକ୍ ଟ୍ରାନ୍ସପୋର୍ଟ ବ୍ୟବସ୍ଥାରେ ବ୍ୟାପକ ସୁଧାର କରିବା ଦରକାର। କିନ୍ତୁ ସରକାର ସେଥିପ୍ରତି ଯତ୍ନବାନ ନୁହନ୍ତି।