ସିଏଏ ଉପରେ ରୋକ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ : କେନ୍ଦ୍ରକୁ ଜବାବ ରଖିବାକୁ ନୋଟିସ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ଉପରେ ରହିତାଦେଶ ଦେବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ। ଏହି ଆଇନ ଉପରେ ରୋକ୍‌ ଲଗାଇବାକୁ ହୋଇଥିବା ଏକାଧିକ ପିଟିଶନର ଶୁଣାଣି କରି ସୁପ୍ରିମକୋର୍ଟ ଉପରୋକ୍ତ ନିର୍ଦେଶ ଦେବା ସହିତ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି। କେନ୍ଦ୍ରର ମତ ନ ଶୁଣି ଏକପାଖିଆ ଶୁଣାଣି ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ତେଣୁ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନୋଟିସ ଜାରି କରିଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ ଏସ.ଏ. ବୋବଡେଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ଏସ. ଅବଦୁଲ ନଜୀର ଏବଂ ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ସିଏଏ ସମ୍ପର୍କିତ ୧୪୪ ପିଟିଶନର ଏକକାଳୀନ ଶୁଣାଣି କରିଥିଲେ। ଏସବୁ ପିଟିଶନଗୁଡ଼ିକ ମଧ୍ୟରୁ ଅନେକ ପିଟିଶନରେ ଆଇନକୁ ବିରୋଧ କରାଯାଇଥିଲାବେଳେ ଆଉ କିଛି ପିଟିଶନ ଆଇନ ସମର୍ଥନରେ ରହିଥିଲା। ଅଧିକାଂଶ ପିଟିଶନରେ ସିଏଏର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରାଯାଇଥିଲାବେଳେ ଆଉ କେତେକ ପିଟିଶନରେ ଆଇନକୁ ସାମ୍ବିଧାନିକ ଘୋଷଣା କରିବା ଲାଗି ଦାବି କରାଯାଇଛି।