ୟୁଜି ଓ ପିଜି ଶେଷ ବର୍ଷ ପରୀକ୍ଷାକୁ ସୁପ୍ରିମକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ୟୁଜି ଓ ପିଜି ଶେଷ ବର୍ଷ ପରୀକ୍ଷା କରାଇବା ପାଇଁ ସୁପ୍ରିମକୋର୍ଟ ଫଇସଲା ଶୁଣାଇଛନ୍ତି। ୟୁଜିସିର ପରୀକ୍ଷା କରାଇବା ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ସଠିକ ପ୍ରମାଣିତ କରିଛନ୍ତି। ବିନା ପରୀକ୍ଷାରେ କୌଣସି ଛାତ୍ରର ପାସ୍ କରିବାର ଅଧିକାର ନାହିଁ। ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପରୀକ୍ଷା ତାରିଖ ସ୍ଥିର କରିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏଥିସହିତ ତାରିଖକୁ ନେଇ ୟୁଜିସି ସହ ଆଲୋଚନା କରିବା ପାଇଁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, କରୋନା ଯୋଗୁ ସବୁ କଲେଜ ଓ ବିଶ୍ୱବିଦ୍ୟାଳୟର ଶେଷ ବର୍ଷ ପିଲାଙ୍କର ୬ଷ୍ଠ ସେମିଷ୍ଟାରର ଗୋଟିଏ ଲେଖାଏଁ ପରୀକ୍ଷା ବାକି ରହିଛି। ସଂକ୍ରମଣ ଭୟରେ ପରୀକ୍ଷାରେ ବିଳମ୍ବ ଓ ତୁରନ୍ତ ଫଳ ପ୍ରକାଶନ ଲାଗି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ପରେ ୟୁଜି ଓ ପିଜି ପିଲାଙ୍କୁ ପୂର୍ବ ସେମିଷ୍ଟାର ଆଧାରରେ ମୂଲ୍ୟାୟନ କରି ଫଳାଫଳ ଘୋଷଣା କରିବାକୁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଥିଲା। ହେଲେ ୟୁଜି ଓ ପିଜି ପିଲାଙ୍କ ପାଇଁ ଶେଷ ସେମିଷ୍ଟାର ବାଧ୍ୟତାମୂଳକ ବୋଲି ଜୁଲାଇ ୬ରେ ୟୁଜିସି ନିଷ୍ପତ୍ତି ଶୁଣାଇଥିଲା।