ପ୍ରବାସୀ ଶ୍ରମିକଙ୍କ ନାଁ’ରେ ଥିବା ମାମଲା ପ୍ରତ୍ୟାହାର ହେଉ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଲକଡାଉନ ଯୋଗୁ ଦେଶର ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କ ସମ୍ବନ୍ଧରେ ସୁପ୍ରିମକୋର୍ଟ ଆଜି ଏକ ବଡ଼ ଫଇସଲା ଶୁଣାଇଛନ୍ତି। ଲକଡାଉନ ସମୟରେ ନିୟମ ଉଲଂଘନ କରି ଘରକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କ ବିରୋଧରେ ପୁଲିସ କରିଥିବା ସମସ୍ତ ଅଭିଯୋଗକୁ ପ୍ରତ୍ୟାହାର କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବିପର୍ଯ୍ୟୟ ପରିଚାଳନା ନିୟମ ୨୦୦୫, ଅନ୍ତର୍ଗତ ସବୁ ମାମଲାକୁ ପ୍ରତ୍ୟାହାର କରାଯାଉ ବୋଲି କୋର୍ଟ କହିଛନ୍ତି।

ନିଜ ରାଜ୍ୟକୁ ଫେରିବାକୁ ଚାହୁଁଥିବା ପ୍ରବାସୀ ଶ୍ରମିକ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ସ୍ଥିତିକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଶୁଣାଣୀ ଆରମ୍ଭ କରିଛନ୍ତି। ସମସ୍ତ ଶ୍ରମିକଙ୍କୁ ୧୫ ଦିନ ମଧ୍ୟରେ ଘରକୁ ପଠାଇବା ପାଇଁ ସର୍ବୋଚ୍ଚ ନ୍ୟାୟଳୟ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଏହି ମାମଲା ଉପରେ ଜଷ୍ଟିସ ଅଶୋକ ଭୂଷଣ, ସଞ୍ଜୟ କିଶନ କୌଲ ଓ ଏମ ଆର ଶାହଙ୍କୁ ନେଇ ଗଠିତ ବେଂଚ କିଛି ଜରୁରୀ ନିର୍ଦ୍ଦେଶ ଜାରି କରିଛନ୍ତି। ସେଗୁଡିକ ହେଲା-

*କେନ୍ଦ୍ର ଓ ରାଜ୍ୟ ସରକାର ନିଜ ରାଜ୍ୟକୁ ଫେରିବାକୁ ଚାହୁଁଥିବା ପ୍ରବାସୀ ଶ୍ରମିକଙ୍କୁ ଚିହ୍ନଟ କରି ୧୫ ଦିନ ମଧ୍ୟରେ ଘରେ ପହଂଚାନ୍ତୁ।
*ଯଦି କୌଣସି ରାଜ୍ୟ ବିଶେଷ ଶ୍ରମିକ ଟ୍ରେନ ଦାବି କରେ ତେବେ ରେଳ ବିଭାଗ ୨୪ ଘଣ୍ଟା ମଧ୍ୟରେ ତାହା ଉପଲବ୍ଧ କରାନ୍ତୁ।
*ଘରକୁ ଫେରିବା ପରେ ଶ୍ରମିକଙ୍କୁ ଯେଉଁ ସରକାରୀ ଯୋଜନା ମିଳିପାରିବ ସେନେଇ ବିଶେଷଭାବେ ପ୍ରଚାର କରାଯାଉ।
* ଗ୍ରାମସ୍ତରକୁ ଯାଇ ଘରକୁ ଫେରିଥିôବା ଶ୍ରମିକଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଉ।
* ବାହାର ରାଜ୍ୟରୁ ଫେରିଥିବା ଶ୍ରମିକଙ୍କୁ ତୁରନ୍ତ ରୋଜଗାର ପ୍ରଦାନ କରାଯାଉ।
* ଯେଉଁ ଶ୍ରମିକମାନେ ପୁନର୍ବାର କାର୍ଯ୍ୟସ୍ଥଳୀକୁ ଫେରିବାକୁ ଚାହୁଁଛନ୍ତି ସେମାନଙ୍କର ମଧ୍ୟ ଏକ ତାଲିକା ପ୍ରସ୍ତୁତ କରି ସହଯୋଗ କରାଯାଉ। ଏହି ରୋଗ ପରେ ବଦଳୁଥିବା ପରିସ୍ଥିତିକୁ ସେମାନେ କିପରି ବୁଝିବେ ସେନେଇ କାଉନସେଲିଂ କରାଯାଉ।