ନୂଆଦିଲ୍ଲୀ,ଏଜେନ୍ସି: ଭାରତର ପ୍ରଧାନ ବିଚାରପତି ଏସ୍ ଏ ବୋବଡେ ଏବଂ ସୁପ୍ରିମକୋର୍ଟଙ୍କୁ ଅବମାନନା କରି ବିବାଦୀୟ ବିବୃତ୍ତି ଦେଇଥିବା ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ଏହି ବିବୃତ୍ତିର ସଂଶୋଧନ କରିବାକୁ ସର୍ବୋଚ୍ଚ ଅଦାଲତ ତାଙ୍କୁ ୨-୩ ଦିନ ସମୟ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଅଦାଲତ ଅବମାନନା ମାମଲାରେ ସୁପ୍ରିମକୋର୍ଟଙ୍କ ଏକ ଖଣ୍ଡପୀଠ ପ୍ରଶାନ୍ତ ଭୂଷଣଙ୍କୁ ଗତ ୧୪ ତାରିଖରେ ଦୋଷୀସାବ୍ୟସ୍ତ କରି ଏହି ମାମଲାର ଦଣ୍ଡ ଶୁଣାଇବାକୁ ଗୁରୁବାର ଦିନ ଧାର୍ଯ୍ୟ କରିଥିଲେ। ହେଲେ ଗୁରୁବାର ପ୍ରଶାନ୍ତ ଭୂଷଣ ସୁପ୍ରିମକୋର୍ଟରେ ଏକ ଆବେଦନ କରି ଅଗଷ୍ଟ ୧୪ ଆଦେଶର ପୁନଃସମୀକ୍ଷା କରିବାକୁ ଅନୁରୋଧ କରିଥିଲେ। ଏ ସମ୍ପର୍କରେ ଅନ୍ୟ ଏକ ଖଣ୍ଡପୀଠରେ ଶୁଣାଣି କରି ଦଣ୍ଡବିଧାନ କରାଯିବାକୁ ସେ ଆବେଦନ କରିଥିଲେ। ମାତ୍ର ଜଷ୍ଟିସ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଖଣ୍ଡପୀଠ ପ୍ରଶାନ୍ତ ଭୂଷଣଙ୍କ ଆବେଦନକୁ ଖାରଜ କରିଦେଇ ତାଙ୍କର ବିବାଦୀୟ ବିବୃତ୍ତିର ପୁନଃବିଚାର କରିବାକୁ ତାଙ୍କୁ ୨୪ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛନ୍ତି।