ବିହାର ବିଧାନସଭାକୁ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ: କରୋନା ଭାଇରସ ଓ ବନ୍ୟାକୁ ଦୃଷ୍ଟିରେ ରଖି ବିହାର ବିଧାନସଭା ନିର୍ବାଚନ ଏବେ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟରେ ପିଟିସନ ଦାୟର ହୋଇଥିଲା। ଆଉ ଏବେ ଏହାକୁ ସୁପ୍ରିମକୋର୍ଟ ଖାରଜ କରି ନିର୍ବାଚନ କରାଇବାକୁ ଅନୁମତି ପ୍ରଦାନ କରିଛନ୍ତି।

କରୋନା ଓ ବନ୍ୟା ଯୋଗୁ ରାଜ୍ୟରେ ନିର୍ବାଚନ ନକରିବା ପାଇଁ ଅବିନାଶ ଠାକୁର ନାମକ ବ୍ୟକ୍ତି ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିଲେ। କିନ୍ତୁ ସୁପ୍ରିମକୋର୍ଟ ନିର୍ବାଚନ ଅଧୀସୂଚନା ଜାରି କରିବା ପୂର୍ବରୁ ଦାଖଲ ହୋଇଥିବା ପିଟିସନର ଶୁଣାଣି କରିବାକୁ ମନା କରି ଦେଇଥିଲେ। ବିଚାରପତି ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ଖଣ୍ଡପୀଠ କହିଛନ୍ତି କି, ‘ନିର୍ବାଚନ ସ୍ଥଗିତ ରଖିବା ପାଇଁ କରୋନାକୁ ଆଧାର କରିବା ଠିକ୍ ନୁହେଁ। ନିର୍ବାଚନ ଆୟୋଗ ସମସ୍ତ ଦିଗ ଉପରେ ବିଚାର କରିବ।’

ସୂଚନାଯୋଗ୍ୟ, ପ୍ରତେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିହାରର ଅନେକ ଜିଲ୍ଲା ବନ୍ୟାରେ ଘେରି ରହିଛି। ଫଳରେ ଲକ୍ଷାଧିକ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି। ଅନ୍ୟପଟେ କରୋନା ମାମଲା ମଧ୍ୟ ଲଗାତାର ଭାବେ ବଢ଼ି ଚାଲିଛି। ସେଥିପାଇଁ ନିର୍ବାଚନ ସ୍ଥଗିତ ରଖିବାକୁ ପିଟିସନ ଦାୟର ହୋଇଥିଲା।