ନୂଆଦିଲ୍ଲୀ,ଏଜେନ୍ସି: କରୋନା ଭାଇରସ୍କୁ ସାରା ବିଶ୍ୱରେ ମହାମାରି ଘୋଷଣା କରାଯାଇଛି। ଭାରତରେ ମଧ୍ୟ ଅନେକ ରାଜ୍ୟରେ କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରାଯାଇଛି। ଏଥିପାଇଁ ବିଭିନ୍ନ ରାଜ୍ୟରେ ସ୍କୁଲ କଲେଜ ସବୁ ବନ୍ଦ ରହିଛି। ତେବେ ଏହି ପରିସ୍ଥିତିରେ କରୋନା ଭାଇରସକୁ ଧ୍ୟାନରେ ରଖି ସୁପ୍ରିମକୋର୍ଟ ମଧ୍ୟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି।
ମାର୍ଚ୍ଚ ୧୬ ତାରିଖରୁ କେବଳ ଜରୁରୀକାଳିନ ମାମଲାର ଶୁଣାଣି କରାଯିବ। ମାମଲାର ଶୁଣାଣି ବେଳେ କେବଳ ସମ୍ପୃକ୍ତ ଆଇନଜୀବୀ ହିଁ କୋର୍ଟରେ ଉପସ୍ଥିତ ରହିବେ। ଅନ୍ୟ କାହାରିକୁ କୋର୍ଟ ପରିସରରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ। ମାର୍ଚ୍ଚ ୧୬ ଠାରୁ ସୁପ୍ରିମ୍କୋର୍ଟରେ ୧୪ଟି ବେଞ୍ଚ୍ ବଦଳରେ କେବଳ ୬ଟି ବେଞ୍ଚ କାର୍ୟ୍ୟ କରିବ। ଗତ ୧୨ ଓ ୧୩ ତାରିଖରେ ପ୍ରଧାନ ବିଚାରପତି ଏସ୍ ଏ ବୋବଡ଼େଙ୍କ ବାସଭବନରେ ଅନୁଷ୍ଠିତ ବୈଠକରେ ଏହି ପ୍ରସଙ୍ଗ ନେଇ ଆଲୋଚନା କରାଯାଇଛି। ସରକାରଙ୍କ ପକ୍ଷରୁ ଜନଗହଳି ନକରିବା ପାଇଁ ଜାରି କରାଯାଇଥିବା ନୋଟିସ୍କୁ ବିଚାରପତିମାନେ ଆଲୋଚନା କରିଛନ୍ତି।
କୋର୍ଟ ପକ୍ଷରୁ ସାଧାରଣ ସମ୍ପାଦକ ଜେନେରାଲ୍ ସଞ୍ଜୀବ ଏସ୍ କାଲଗୋନ୍କରଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ବୋଚ୍ଚ ଅଦାଲତର ବିଜ୍ଞପ୍ତିରେ କୁହାଯାଇଛି ଯେ, ଉପଯୁକ୍ତ ବେଞ୍ଚ୍ ସହିତ ଜରୁରୀକାଳିନ କାର୍ୟ୍ୟରେ ଏହାର କାର୍ୟ୍ୟକାରିତା ସୀମିତ ରହିବ। ଭାରତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ପରାମର୍ଶର ସମୀକ୍ଷା କରିବା ସହ ଡାକ୍ତରୀ ଟିମ୍, ଜନସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାମତକୁ ଦୃଷ୍ଟିରେ ରଖି ସମସ୍ତ ପରିଦର୍ଶକ, ମକଦ୍ଦମାକାରୀ, ଆଇନଜୀବୀ, କୋର୍ଟ କର୍ମଚାରୀ, ସୁରକ୍ଷା କର୍ମଚାରୀ, ରକ୍ଷଣାବେକ୍ଷଣ ଏବଂ ସହାୟତା କର୍ମଚାରୀଙ୍କ ସୁରକ୍ଷା ତଥା କଲ୍ୟାଣ ଉପରେ ମଧ୍ୟ ବିଚାର କରାଯାଇଛି।
ସୁପ୍ରିମକୋର୍ଟଙ୍କ ଘୋଷଣାର କିଛି ଘଣ୍ଟା ପରେ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର (ମାର୍ଚ୍ଚ ୧୩) ଏକ ଜରୁରୀ ବୈଠକ କରି ସମାନ ନିଷ୍ପତ୍ତି ନେଇଛନ୍ତି। ମାର୍ଚ୍ଚ ୧୬ ତାରିଖରୁ କେବଳ ଜରୁରୀ ମାମଲା ଶୁଣାଣି କରାଯିବ। କୋର୍ଟ ପାରିସରରେ ଭିଡ଼ ନହେବା ପାଇଁ ଜିଲ୍ଲା କୋର୍ଟରେ ମକଦ୍ଦମାକାରୀଙ୍କ ପ୍ରବେଶକୁ ନିୟନ୍ତ୍ରଣ କରିବାକୁ ହାଇକୋର୍ଟ ପରାମର୍ଶ ଦେଇଛନ୍ତି।