ରୀୟାଙ୍କ ପ୍ରତି ସମର୍ଥନ ବଢ଼ୁଛି

ମୁମ୍ବାଇ, ଏଜେନ୍ସି : ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ସିିବିଆଇ ତଦନ୍ତ ଜାରି ରହିଛି। ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ? ଏ ପ୍ରଶ୍ନର ଉତ୍ତର ମିଳିବାରେ ତ ନିଶ୍ଚୟ ବିଳମ୍ବ ହେବ। ତେବେ ସୁଶାନ୍ତଙ୍କ ମୃତ୍ୟୁ ପାଇଁ ଅନେକ ତାଙ୍କର ପ୍ରେମିକା ରୀୟା ଚକ୍ରବର୍ତ୍ତୀଙ୍କୁ ଦାୟୀ କରୁଛନ୍ତି। ରୀୟାଙ୍କୁ ନେଇ ମିଡିଆରେ ପ୍ରକାଶିତ ରିପୋର୍ଟ ମଧ୍ୟ ରୀୟାଙ୍କ ସମେତ ତାଙ୍କ ପରିବାର ଲୋକଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏହା ଦ୍ୱାରା ରୀୟାଙ୍କ ଅଭିନୟ କ୍ୟାରିୟର ଶେଷ ହୋଇଯାଇପାରେ ବୋଲି ଆଶଙ୍କା କରିଛନ୍ତି କିଛି ବଲିଉଡ୍ କଳାକାର। ରୀୟାଙ୍କୁ ସମର୍ଥନ ଦେଇ ତାଙ୍କ ମନୋବଳ ବଢ଼ାଇବାକୁ ଆରମ୍ଭ ହୋଇଛି ଅଭିଯାନ। ରୀୟାଙ୍କୁ ନ୍ୟାୟ ଦେବା ପାଇଁ ଏହି ବଲିଉଡ୍ ନାୟିକାମାନେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ରୀୟାଙ୍କ ପ୍ରତି ସମର୍ଥନ ବଢ଼ିବାରେ ଲାଗିଛି। ନିକଟରେ ଏକ ଜାତୀୟ ଚ୍ୟାନେଲରେ ରୀୟାଙ୍କର ଏକ ସାକ୍ଷାତକାର ଦେଖିବାକୁ ମିଳିଥିଲା।

ଏ ବାବଦରେ ମତ ରଖି ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଲକ୍ଷ୍ମୀ ମଞ୍ଚୁ କହିଛନ୍ତି, ମିଡିଆ ଜଣେ ଝିଅକୁ ରାକ୍ଷସୀ ଭାବେ ଚିତ୍ରଣ କରୁଛି। ତାହାକୁ ଅନେକ ଲୋକ ବସି ଦେଖୁଛନ୍ତି। ସୁଶାନ୍ତ ସିଂହ ରାଜପୁତ ମାମଲାରେ ସତ୍ୟ କ’ଣ ମୁଁ ଜାଣିନି। ମୁଁ ମଧ୍ୟ ସତ୍ୟ ଜାଣିବାକୁ ଚାହୁଁଛି। ମୋର ବିଶ୍ୱାସ ସତ୍ୟ ସାମ୍ନାକୁ ଆସିବ। ତେବେ ସେତେବେଳ ପର୍ଯ୍ୟନ୍ତ ଅପେକ୍ଷା ନ କରି ଜଣେ ଝିଅ ଓ ତା’ର ପରିବାରକୁ ଅଯଥା ଗାଳି ଦେବା ଉଚିତ ହେଉ ନାହିଁ। ଲକ୍ଷ୍ମୀ ମଞ୍ଚୁଙ୍କ ପରେ ରୀୟାଙ୍କ ସମର୍ଥନରେ ଆଗକୁ ଆସିଛନ୍ତି ରୀୟାଙ୍କ ବାନ୍ଧବୀ, ମଡେଲ୍ ତଥା ଅଭିନେତ୍ରୀ ଶିବାନୀ ଦାଣ୍ଡେକର। ଶିବାନୀଙ୍କ କହିବାନୁସାରେ, ରୀୟାଙ୍କୁ ୧୬ ବର୍ଷ ହୋଇଥିବା ସମୟରୁ ସେ ଜାଣିଛନ୍ତି। ସେ ବହୁତ ଭଲ ଝିଅ। ତାଙ୍କର ପରିବାର ସଦସ୍ୟ ମଧ୍ୟ ଖୁବ୍ ଭଲ। ମାତ୍ର ସୁଶାନ୍ତ କେସରେ ମିଡିଆ ରୀୟାଙ୍କ ସହ ଯେଭଳି ବ୍ୟବହାର କରୁଛି ତାହା ତାଙ୍କର ସମ୍ମାନ ହାନି କରୁଛି। ଏହାର ପ୍ରଭାବ ରୀୟାଙ୍କ ମା’, ବାପା ଓ ଭାଇଙ୍କ ଉପରେ ମଧ୍ୟ ପଡ଼ିଛି ବୋଲି କହିଛନ୍ତି ଶିବାନୀ। ତେବେ ପ୍ରଥମରୁ ରୀୟାଙ୍କୁ ସମର୍ଥନ ଦେଇନଥିବାରୁ ସେ କ୍ଷମା ମଧ୍ୟ ମାଗିଛନ୍ତି। ଲକ୍ଷ୍ମୀ, ଶିବାନୀଙ୍କ ପରେ ଅଭିନେତ୍ରୀ ବିଦ୍ୟା ବଲାନ, ତାପସୀ ପନ୍ନୁ ମଧ୍ୟ ରୀୟାଙ୍କୁ ସମର୍ଥନ କରିଛନ୍ତି। ଦୋଷୀ ସାବ୍ୟସ୍ତ ନ ହେବା ଯାଏଁ ରୀୟାଙ୍କୁ ତିରସ୍କାର କରାଯିବା ଉଚିତ ନୁହେଁ ବୋଲି ମତ ଦେଇଛନ୍ତି ତାପସୀ ଓ ବିଦ୍ୟା।