ଚେଙ୍କ ନେଲା ୯ ମାସ ଶିଶୁର ଜୀବନ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଚେଙ୍କ ଦେବାରୁ ୯ ମାସର ଶିଶୁ ଜୀବନ ହାରିଛି । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର କସକଙ୍ଗା ପଞ୍ଚାୟତ ଅନ୍ତର୍ଗତ ଜଡ଼ାପାରା ଗ୍ରାମରେ ଏଭଳି ଘଟଣା ଘଟିଛି । ମିଳିଥିବା ରିପୋର୍ଟ ମୁତାବକ, ଜଡ଼ାପାରା ଗ୍ରାମର ସୁକଦେବ ଗଣ୍ଡଙ୍କ ୯ ମାସର ପୁଅ ରୂପେଶ ଗଣ୍ଡକୁ ଗତ ସୋମବାର ଥଣ୍ଡା,କାଶ ସହିତ ଜ୍ୱର ହୋଇଥିଲା । ଏସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ସେଠାକାର ଆଶାକର୍ମୀ ସହନ୍ତି ଗଣ୍ଡ ମଙ୍ଗଳବାର ସୁକଦେବଙ୍କ ଘରକୁ ଯାଇ ପୁଅକୁ ମେଡିକାଲ ନେବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ଆଶାକର୍ମୀଙ୍କ କଥାକୁ ଭୃକ୍ଷେପ ନକରି ଘରୋଇ ଚିକିତ୍ସା କରିବାକୁ ପରିବାର ଲୋକେ ନିଷ୍ପତ୍ତି ନେଇଥିଲେ । ଫଳରେ ବୁଧବାର ଦିନ ଜୋଡ଼ଯୋଙ୍ଗା ଅଞ୍ଚଳରୁ ଜଣେ ବୃଦ୍ଧାଙ୍କୁ ଡକାଇ ନିଜ ପୁଅ ରୂପେଶକୁ ଚେଙ୍କ ଦେଇଥିଲେ । ଚେଙ୍କ ଦେଉଥିବା ସମୟରେ ଆଶାକର୍ମୀ ସେଠାରେ ପହଞ୍ଚି ଏଭଳି ଅବସ୍ଥା ଦେଖି ତୁରନ୍ତ ୧୦୮ ଆମ୍ବୁଲାନସ୍ ଡକାଇଥିଲେ । ଅନ୍ୟପଟେ ଚେଙ୍କ ଯୋଗୁ ରୂପେଶର ସ୍ୱାସ୍ଥ୍ୟବସ୍ଥା ଶୋଚନୀୟ ହୋଇ ପଡ଼ିଥିଲା । ଆମ୍ବୁଲାନ୍ସ ପହଞ୍ଚିବା ପରେ ଦିନଦ୍ୱିପ୍ରହରରେ ଆଶାକର୍ମୀଙ୍କ ସହାୟତାରେ ରୂପେଶକୁ ହାଟଭରଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇଥିଲା । ସେଠାରେ ଡାକ୍ତର ରୂପେଶକୁ ଭର୍ତ୍ତି କରି ଭଲ ହେବା ପର୍ଯ୍ୟନ୍ତ ଚିକିତ୍ସା ଚାଲୁ ରହିବ ବୋଲି କହିଥିଲେ । ହେଲେ ପରିବାର ଲୋକେ ମେଡିକାଲରେ ଚିକିତ୍ସା କରିବାକୁ ପସନ୍ଦ କରୁନଥିବା ବେଳେ ଘରକୁ ଫେରି ଯିବାକୁ ଇଛା କରି ଡାକ୍ତରଙ୍କୁ ଡିସଚାର୍ଜ କରିଦିଅ ବୋଲି ବାରମ୍ବାର କହିଥିଲେ । ଅନ୍ୟପଟେ ରୂପେଶର ସ୍ୱାସ୍ଥ୍ୟବସ୍ଥା ଶୋଚନୀୟ ଅଛି ତାକୁ ଛଡ଼ାଯିବ ନାହିଁ ବୋଲି ଡାକ୍ତର ସଫା ସଫା ମନା କରିଥିଲେ । ଏଭଳି ସ୍ଥିତିରେ ଗୁରୁବାର ସକାଳ ପ୍ରାୟ ୧୦ଟା ସମୟରେ ଆଶାକର୍ମୀ ଓ ଡାକ୍ତର ଆସି ଦେଖିବା ବେଳକୁ ରୂପେଶକୁ ନେଇ ପରିବାର ଲୋକେ ମେଡିକାଲରୁ ଲୁଚି ପଳାଇଥିଲେ । ପରେ ଡାକ୍ତର ଏନେଇ କୁନ୍ଦେଇ ଥାନାରେ ଲିଖିତ ଭାବେ ଜଣାଇଥିଲେ । ଆଶାକର୍ମୀ ସହନ୍ତି ଗଣ୍ଡ ପୁଣିଥରେ ସୁକଦେବ ଗଣ୍ଡଙ୍କ ଘରକୁ ଯାଇ ଦେଖିବା ବେଳକୁ ରୂପେଶକୁ ଘରୋଇ ଚିକିତ୍ସା କରାଯାଉଥିଲା । ଆଶାକର୍ମୀ ସେମାନଙ୍କୁ ବହୁତ ବୁଝାଇବା ପରେ ବି ସେମାନେ ନବୁଝିବାରୁ ସେ ନିରାଶ ହୋଇ ଫେରି ଆସିଥିଲେ । ଶେଷରେ ରୂପେଶର ଭୋର ୪ଟା ସମୟରେ ମୃତ୍ୟୁ ଘଟିଥିଲା । ଚେଙ୍କ ଭଳି ଏକ ଅନ୍ଧବିଶ୍ୱାସର ଚିକିତ୍ସା ଯୋଗୁ ଏକ ନିରୀହ ଶିଶୁର ଜୀବନ ଯାଇଛି ବୋଲି ବୁଦ୍ଧିଜୀଜୀ ମହଲରେ ଚର୍ଚ୍ଚା ହେଉଛି ।