ବିଶ୍ୱକପ୍ ଫାଇନାଲ ଡ୍ରାମା ପରେ ବଦଳିଲା ସୁପର ଓଭର ନିୟମ

ଦୁବାଇ: ଇଂଲଣ୍ଡରେ ଅନୁଷ୍ଠିତ ଦିନିକିଆ ବିଶ୍ୱକପ୍ ଫାଇନାଲରେ ସୁପର ଓଭରର ବିବାଦୀୟ ନିୟମ ଯୋଗୁଁ କଡା ସମାଲୋଚନାର ଶରବ୍ୟ ହୋଇଥିବା ଇଣ୍ଟରନ୍ୟାସନାଲ କ୍ରିକେଟ କାଉନ୍ସିଲ (ଆଇସିସି) ଏହି ନିୟମକୁ ପରିବର୍ତ୍ତନ କରିଛି। ଦିନିକିଆ ଏବଂ ଟି-୨୦ ଫର୍ମାଟରେ ଏହି ନିୟମ ରହିବ ଏବଂ ନକଆଉଟ ମ୍ୟାଚରେ ଏହାର ପରିବର୍ତ୍ତନ କରାଯିବ।

ଏହି ମ୍ୟାଚ୍ରେ ସ୍କୋର ଯଦି ଟାଇ ରୁହେ ତେବେ ସୁପର ଓଭର ହେବ। ଏଥିରେ ଯଦି ସ୍କୋର ଟାଇ ହେଲା ତେବେ ଅଧିକ ରନ୍ ରେ ଗୋଟିଏ ଦଳ ଜିତିଲାଯାଏ ସୁପର ଓଭର ଖେଳାଯିବ ବୋଲି ପରିବର୍ତ୍ତିତ ନିୟମରେ ଉଲ୍ଲେଖ ରହିଛି। କିନ୍ତୁ ଲିଗ୍ ମ୍ୟାଚରେ ସ୍କୋର ଏବଂ ସୁପର ଓଭର ସ୍କୋର ଟାଇ ରହିଲେ ଏହି ମ୍ୟାଚ୍ ମଧ୍ୟ ଟାଇ ହେବ ବୋଲି ଆଇସିସି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରୁ ଜଣାଯାଇଛି। ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ଦିନିକିଆ ବିଶ୍ୱକପ୍ ଫାଇନାଲର ମ୍ୟାଚ୍ ଓ ସୁପର ଓଭର ସ୍କୋର ଟାଇ ରହିଥିଲା। କିନ୍ତୁ ସେହି ସମୟର ନିୟମ ଅନୁଯାୟୀ ଇଂଲଣ୍ଡ ଦଳ ଅଧିକ ବାଉଣ୍ଡରୀ ମାରିଥିବାରୁ ତାହାକୁ ବିଜୟୀ ଘୋଷିତ କରାଯାଇଥିଲା। ଏହାକୁ ସମଗ୍ର ବିଶ୍ୱ କ୍ରିକେଟରେ ସମାଲୋଚନା କରାଯାଇଥିଲା।