କୋଭିଡ୍ ସହାୟତା: ସନରାଇଜର୍ସ ଦେଲା ୩୦ କୋଟି

ନୂଆଦିଲ୍ଲୀ, ଏଜେନ୍ସି: ଆଇପିଏଲ୍ ଫ୍ରାଞ୍ଚାଇଜି ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ କରୋନା ମୁକାବିଲା ପାଇଁ ୩୦ କୋଟିର ସହାୟତା ରାଶି ପ୍ରଦାନ କରାଯାଇଛି। ଆଇପିଏଲ ଅନିର୍ଦ୍ଦିଷ୍ଟ ସମୟ ପାଇଁ ବନ୍ଦ ରହିଥିବା ବେଳେ ଫ୍ରାଞ୍ଚାଇଜିର ମୂଳ କମ୍ପାନୀ ସନ୍ ଟିଭି ପକ୍ଷରୁ ସୋମବାର ଏହି ସହାୟତା ରାଶି ଘୋଷଣା କରାଯାଇଛି। ବିଭିନ୍ନ କେନ୍ଦ୍ରୀୟ ଏବଂ ରାଜ୍ୟ ସରକାରଙ୍କ କୋଭିଡ୍ ମୁକାବିଲାକୁ ଏହି ଅର୍ଥରାଶିରୁ ଅର୍ଥ ପ୍ରଦାନ କରାଯିବ ବୋଲି କୁହାଯାଇଛି। ଏହା ସହିତ ବିଭିନ୍ନ ଏନଜିଓକୁ ମଧ୍ୟ ସହାୟତା ରାଶି ପ୍ରଦାନ କରିବା ପାଇଁ ସନ୍ ଟିଭି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ନେଇ ସନରାଇଜର୍ସ ହାଇଦ୍ରାବାଦ ଟ୍ୱିଟ୍ଟର ହ୍ୟାଣ୍ଡେଲରେ ସୂଚନା ଦିଆଯାଇଛି। ‘କରୋନାର ଦ୍ୱିତୀୟ ଲହରରେ ଦୈନିକ ମୃତ୍ୟୁ ସଂଖ୍ୟା ୪ ହଜାର ଛୁଇଁଥିବା ବେଳେ ସନ୍ ଟିଭି ପକ୍ଷରୁ ୩୦ କୋଟିର ସହାୟତା ରାଶି ଘୋଷଣା କରାଯାଇଛି। ବିଭିନ୍ନ ଭାରତୀୟ ରାଜ୍ୟ ମାନଙ୍କରେ ଏହି ସହୟତା ପ୍ରଦାନ କରାଯିବ। କେନ୍ଦ୍ର ସରକାର ଓ ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ରହିଥିବା କୋଭିଡ୍ ମୁକାବିଲା ଯୋଜନାରେ ଏହି ଅର୍ଥ ନିବେଶ କରାଯିବ। ଏହା ସହିତ ବିଭିନ୍ନ ରାଜ୍ୟ ମାନଙ୍କରେ ଔଷଧ ଓ ଅମ୍ଲଜାନ ବିତରଣ ପାଇଁ ଏନଜିଓ ମାନଙ୍କ ସହୟତା ନିଆଯିବ ବୋଲି ଟ୍ୱିଟ୍ କରାଯାଇଛି।