ରକ୍ତରେ ଭିଜିଲା ସୁଲିଆ ପୀଠ ଜିଲ୍ଲାରାଜ୍ୟ By Nitidin Last updated Dec 31, 2019 Share ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ୍ ଅନ୍ତର୍ଗତ କୁଲତାପଡ଼ା ପଞ୍ଚାୟତର ଖଇରଗୁରା ଠାରେ ଥିବା ମୁଖ୍ୟ ପୀଠ ଓ କୁମୁରିଆ ଗାଁରେ ଥିବା ସାନଖଳା ଠାରେ ଚଳିତ ବର୍ଷ ବ୍ୟାପକ ପରିମାଣରେ ବଳି ପଡୁଥିବା ନଜର ଆସିଛି। ଏପରିକି ପ୍ରଶାସନ ମଧ୍ୟ ଏଠାରେ ଆଖି କାନ ବନ୍ଦ କରିଦେଇଥିବା ଅନୁମାନ ହେଉଛି। ତେବେ ପୂର୍ବରୁ ଏ ନେଇ ପ୍ରଶାସନ ପକ୍ଷରୁ କୌଣସି ସଚେତନତା କରାଯାଇନଥିବା ଜଣାପଡ଼ିଛି। ଫଳରେ ନିରିହ ପଶୁ ମାନେ ବଳୀର ଶିକାର ହେଉଛନ୍ତି। ଅନ୍ୟପଟେ ଆଦିବାସୀଙ୍କ ବଳି ପରମ୍ପରା ଉପରେ ହସ୍ତକ୍ଷେପ କରାଯାଇ ପାରବି ନାହିଁ ବୋଲି ସୁପ୍ରମିକୋର୍ଟଙ୍କ ନିର୍ଦ୍ଦେଶ ରହିଛି। କେବଳ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଗୋଟାଏ ପ୍ଲାଟୁନ ପୁଲିସ ଫୋର୍ସ ସେଠାରେ ନିୟୋଜିତ ହୋଇଛି। ଏ ନେଇ ଆଜି ଆଦିବାସୀମାନେ ତାଙ୍କର ପାରମ୍ପାରିକ ଅସ୍ତ୍ରଶସ୍ତ୍ରକୁ ହାତରେ ଧରି ସଜ୍ଜିତ ହୋଇ ଏକ ବିଶାଳ ଶୋଭାଯାତ୍ରାରେ ଆସି ପୀଠରେ ପହଞ୍ଚିଛନ୍ତି। ପରେ ପ୍ରଥା ଅନୁଯାୟୀ ପ୍ରଥମେ ପାଟ ବୁକା ବଳି ଦେଇଥିଲେ। ପାଟ ବୁକା ବଳି ପରେ ମାନସିକଧାରୀ ଭକ୍ତମାନେ ଆଣିଥିବା ପଶୁ ପକ୍ଷୀଙ୍କୁ ଗୋଟାଏ ପରେ ଗୋଟାଏ ବଳି ଦିଆଯାଇଥିଲା। ମଙ୍ଗଳବାର ସନ୍ଧ୍ୟା ପର୍ଯ୍ୟନ୍ତ ଏହି ବଳି ଦିଆଯିବ। ଅନ୍ୟବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ପରିମାଣରେ ବଳି ଦିଆଯାଇଥିବା ବେଳେ ଭିଡ ମଧ୍ୟ ଅଧିକ ଥିବା ପରିଲକ୍ଷିତ ହୋଇଛି। ସେହିପରି ସୋମବାର ରାତିରେ ଆଦିବାସୀମାନଙ୍କ ତରଫରୁ ସେଠାରେ ଥିବା ଜଙ୍ଗଲ ନିଶିଙ୍କୁ ପୂଜା କରାଯାଇଥିଲା। ନିଶି ପୂଜାରେ ମହାଦେବଙ୍କୁ ଆହ୍ୱାନ କରିଥିଲେ। ସେଠାରୁ ଆଜ୍ଞା ନେଇ ମୁଖ୍ୟ ପୂଜକ ଓ ଅନ୍ୟମାନେ ପୀଠକୁ ଆସିଥିଲେ। ଆଦିବାସୀ କଲ୍ୟାଣ ସଂଘର ପରାମର୍ଶଦାତା ସତ୍ୟ ନାରାୟଣ ଭୋଇ କହିଛନ୍ତି, ପାରମ୍ପାରିକ ରୀତିରେ ଆମେ ବଳି ଦେଉଛୁ। ଆଦିବାସୀଙ୍କ ପୂଜା ପଦ୍ଧତିରେ ହସ୍ତକ୍ଷେପ ନକରିବା ପାଇଁ ସୁପ୍ରିମକୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଜଙ୍ଗଲ ଭିତରେ ଆମେ ବଳି ଦେଉଛୁ, ତେଣୁ ଆମେ କୌଣସି ଆଇନକୁ ଉଲ୍ଲଂଘନ କରୁନାହୁଁ ବୋଲି କହିଛନ୍ତି। କେଉଁ ଆବାହମାନ କାଳରୁ ଆମେ ସୁଲିଆ ଯାତ୍ରା ପାଳନ କରି ଆସୁଛି। ଆମ ପୂଜା ପଦ୍ଧତିରେ କାହିଁକି ଅଯଥା ହସ୍ତକ୍ଷେପ କରାଯାଉଛି ବୋଲି ଆଦିବାସୀ କଲ୍ୟାଣ ସଂଘର ସମ୍ପାଦକ ନିରଞ୍ଜନ ବିଶି ପ୍ରଶ୍ନ କରିଛନ୍ତି। ପ୍ରତିବର୍ଷ ପୌଷ ମାସର ଦ୍ୱିତୀୟ ମଙ୍ଗଳବାର ଦିନ ଆଦିବାସୀମାନଙ୍କର ପ୍ରସିଦ୍ଧ ସୁଲିଆ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଖଇରାଗୁରାର ମୁଖ୍ୟ ପୀଠ ସହିତ କୁମରିଆର ସାନଖଳା ଓ ମିର୍ଦ୍ଧପାଲି ପୀଠରେ ବଳି ଦିଆଯାଇଥାଏ। ଯାତ୍ରା କମିଟିର ସଭାପତି ମୟ ପ୍ରଧାନୀ ଓ ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘର ସଭାପତି ବ୍ରଜ କିଶୋର ସିଂ ଭୋଇ ଓ ସମ୍ପାଦକ ନିରଞ୍ଜନ ବିଶି, ଉପଦେଷ୍ଟା ସତ୍ୟ ନାରାୟଣ ଭୋଇଙ୍କ ନେତୃତ୍ୱରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସିଥିବା ହଜାର ହଜାର ସଖ୍ୟକ ଆଦିବାସୀମାନେ ପାରମ୍ପାରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ବାଜା ବଜାଇ ଶୋଭାଯାତ୍ରା କରିଥିଲେ। Share