ଚିନ୍ତା ବଢାଉଛି ସୁନ୍ଦରଗଡ ସଂକ୍ରମଣ, ୩ ଦିନ ପାଇଁ ବଡଗାଁ ପଞ୍ଚାୟତ ଲକଡାଉନ୍‌

ସୁନ୍ଦରଗଡ,ଏନ୍ଏନ୍ଏସ୍: ସୁନ୍ଦରଗଡରେ ଦୈନିକ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଏହା ରାଜ୍ୟରେ ସର୍ବାଧିକ ରହୁଛି। ଏହି ମଧ୍ୟରେ ଗତକାଲି ଜିଲ୍ଲାରୁ ୬ ଶହରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ଏକ ପଞ୍ଚାୟତକୁ ୩ ଦିନ ପାଇଁ ସରପଞ୍ଚ ଲକ‌ଡାଉନ୍‌ ଘୋଷଣା କରିଛନ୍ତି।

ସୂଚନାନୁସାରେ, ସୁନ୍ଦରଗଡ଼ ବଡଗାଁ ପଞ୍ଚାୟତରେ କରୋନା ସଂକ୍ରମଣ ବଢିଚାଲିଛି। ତେଣୁ ସଂକ୍ରମଣ ଚେନ୍‌କୁ ଭାଙ୍ଗିବା ପାଇଁ ସ୍ଥାନୀୟ ସରପଞ୍ଚ ଲକଡାଉନ ଭଳି ପଦକ୍ଷେପକୁ ଆପଣାଇଛନ୍ତି। ଆସନ୍ତା ୧୫ ତାରିଖରୁ ୧୭ ତାରିଖ ଯାଏଁ ପଞ୍ଚାୟତର ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ରବିବାର ଦିନ ହେବାକୁ ଥିବା ସାପ୍ତାହିକ ହାଟ ଓ ଗୁରୁବାର ବସୁଥିବା ହଟଲି ହାଟକୁ ବନ୍ଦ କରିବାକୁ ସରପଞ୍ଚ ନିର୍ଦ୍ଦେଶ ଦେଇଛନ୍ତି। ଲକଡାଉନ ସମୟରେ ଯଦି କେହି ନିୟମ ଉଲ୍ଲଂଘନ କରେ ତେବେ ତା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।