ପୁରୀ,ଏନ୍ଏନ୍ଏସ୍: ବଡ଼ଦାଣ୍ଡରେ ୩ ରଥରେ ବିରାଜମାନ କରିଥିବା ୩ ଠାକୁର ଆଜି ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ସୁନାବେଶ ପାଇଁ ସନ୍ଧ୍ୟା ୫ଟାରୁ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଶ୍ରୀଜିଉଙ୍କୁ ଏହି ବେଶରେ ଆଭୂଷିତ କରିବା ପାଇଁ ୧ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା । ମହାବାହୁଙ୍କୁୁ ସୁନାର କିରିଟ, କୁଣ୍ଡଳ, ରତ୍ନ ଖଚିତ ଘାଗଡା ମାଳି, ବାହାଡ଼ା ମାଳି, ତାବିଜ ମାଳି, ହରିଡ଼ା କଦମ୍ବ ମାଳି, ବାଘନଖୀ ମାଳି, ସେବତୀ ମାଳି, ହଳମୁଷଳ, ଚକ୍ର ଓ ତିଳକ ଆଦି ଆଭୂଷଣରେ ଆଭୂଷିତ କରାଯାଇଛି । ରାତି ୧୦ଟା ପର୍ଯ୍ୟନ୍ତ ମହାବହୁ ସୁନାବେଶରେ ଦର୍ଶନ ଦେବା ପରେ ବେଶ ଓଲାଗି ହେବ । ଭିଡ଼ ଓ ଅନୁପ୍ରବେଶକୁ ରୋକିବା ପାଇଁ ଶ୍ରୀମନ୍ଦିର ଚତୁଃପାଶ୍ୱର୍ ସଂଯୋଗ ରାସ୍ତାକୁ ପୁଲିସ ପ୍ରଶାସନ ପକ୍ଷରୁ ସିଲ କରାଯାଇଥିବା ଜଣାପଡ଼ିଛି ।