ସୁଲତାନ ଜୋହୋର ହକି କପ : ଭାରତୀୟ ଦଳରେ ଓଡ଼ିଶାରୁ ୪

ନୂଆଦିଲ୍ଲୀ, ଏଜେନ୍ସି: ମାଲେସିଆରେ ଅକ୍ଟୋବର ୧୨ରୁ ୧୯ ତାରିଖଯାଏ ୯ମ ସୁଲତାନ ଜୋହୋର କପ ହକି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ। ଏହି ଟୁର୍ଣ୍ଣାମେଣ୍ଟ ଲାଗି ହକି ଇଣ୍ଡିଆ ପକ୍ଷରୁ ସୋମବାର ଏକ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ମନଦୀପ ମୋରଙ୍କୁ ଏହି ଦଳର ଅଧିନାୟକ ଏବଂ ସଞ୍ଜୟଙ୍କୁ ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି। ଘୋଷିତ ଦଳରେ ୪ଜଣ ଓଡ଼ିଆ ଖେଳାଳି ସାମିଲ ହୋଇଛନ୍ତି। ସେମାନେ ହେଲେ ଦୁଇ ଡିଫେଣ୍ଡର ପ୍ରତାପ ଲାକ୍ରା ଓ ସୁମନ ବେକ। ଅନ୍ୟ ଦୁଇଜଣ ହେଲେ ଫରୱାର୍ଡ ଖେଳାଳି। ସେମାନେ ହେଲେ ସୁଦୀପ ଚିରମାକୋ ଏବଂ ଶିଳାନନ୍ଦ ଲାକ୍ରା। ପ୍ରଥମର ଲାଗି ଓଡ଼ିଶାରୁ ଦୁଇ ଜଣ ଫରୱାର୍ଡ ଖେଳାଳି ଭାରତୀୟ ଦଳରେ ସାମିଲ ହେବା ଏକ ନୂଆ ଘଟଣା ଭାବେ ବିବେଚନା କରାଯାଉଛି। ଶିଳାନନ୍ଦ ପୂର୍ବରୁ ସିନିୟର ଟିମରେ ଖେଳିସାରିଛନ୍ତି।

ଏହି ଟୁର୍ଣ୍ଣାମେଣ୍ଟରେ ଆୟୋଜକ ମାଲେସିଆ ଏବଂ ଭାରତ ବ୍ୟତୀତ ନ୍ୟୁଜିଲାଣ୍ଡ, ଜାପାନ, ଅଷ୍ଟ୍ରେଲିଆ ଏବଂ ଗ୍ରେଟ ବ୍ରିଟେନ ଅଂଶଗଅହଣ କରିବେ। ରାଉଣ୍ଡ ରବିନ ଲିଗ ଭିତ୍ତିରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ। ଟୁର୍ଣ୍ଣାମେଣ୍ଟ ଲାଗି କୋଚ ବିଜେ କାରିଆପ୍ପାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭାରତୀୟ ଦଳ ଭଲ ପ୍ରସ୍ତୁତି କରିଛି। ଟୁର୍ଣ୍ଣାମେଣ୍ଟରେ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଗ୍ରେଟ ବ୍ରିଟେନ ଭଳି ଟପ୍ ଟିମ ରହିଥିବାରୁ ମ୍ୟାଚ ଗୁଡିକ ପ୍ରତିଦ୍ୱନ୍ଦ୍ୱିତା ମୂଳକ ହେବ ବୋଲି କାରିଆପ୍ପା କହିଛନ୍ତି। ଏଥର ଭାରତ ତାହାର ଗତଥରର ପୋଜିସନରେ ଉନ୍ନତି ଆଣିବାକୁ ଚେଷ୍ଟା କରିବ। ଗତବର୍ଷ ଖେଳାଯାଇଥିବା ସଂସ୍କରଣରେ ୮ଟି ଦଳ ମଧ୍ୟରେ ଭାରତ ୬ଷ୍ଠ ସ୍ଥାନରେ ରହିଥିଲା।

ଭାରତୀୟ ଦଳ:

ପ୍ରଶାନ୍ତ କୁମାର ଚୌହାନ ଓ ପୱନ (ଉଭୟେ ଗୋଲକିପର), ସଞ୍ଜୟ, ଦୀନଚନ୍ଦ୍ର ସିଂ, ପ୍ରତାପ ଲାକ୍ରା, ସୁମନ ବେକ୍, ମନ୍ଦୀପ ମୋର (ଅଧିନାୟକ), ୟଶ୍ଦୀପ ସିୱାଚ୍, ଶାରଦାନନ୍ଦ ତିୱାରୀ (ସମସ୍ତେ ଡିଫେଣ୍ଡର), ବିଷ୍ଣୁକାନ୍ତ ସିଂ, ରବିଚନ୍ଦ୍ର ସିଂ, ମନିନ୍ଦର ସିଂ (ମିଡ୍ଫିଲ୍ଡର), ଦୀଲପ୍ରୀତ ସିଂ, ସୁଦୀପ ଚିରମାକୋ, ଗୁରସାହିବଜିତ ସିଂ, ଉତ୍ତମ ସିଂ, ରାହୁଲ କୁମାର ରାଜଭର ଓ ଶିଳାନନ୍ଦ ଲାକ୍ରା।