ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ପୌରାଞ୍ଚଳ ପୁରୁଣାଗଡ଼ଠାରେ ସାମାନ୍ୟ କଥାକୁ କେନ୍ଦ୍ରକରି ଜଣେ ବିବାହିତା ଇଞ୍ଜିନିୟରିଂ ଛାତ୍ରୀ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ, ପୁରୁଣାଗଡ଼ ପେଟ୍ରୋଲ ପମ୍ପ ନିକଟରେ ରହୁଥିବା ପୂର୍ତ୍ତବିଭାଗର କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ବେଣୁଧର ସାହୁଙ୍କ ଝିଅ ତୃପ୍ତିରାଣୀ ସାହୁ (୨୭) ଆଜି ଅପରାହ୍ଣରେ ତାଙ୍କ ଶିଶୁ କନ୍ୟା ଦୁଷ୍ଟାମି କରୁଥିବାରୁ ଗାଳି କରିଥିଲେ। ଏହାଦେଖି ତୃପ୍ତିଙ୍କ ମାଆ ତାଙ୍କ ଉପରେ ପାଟି କରିଥିଲେ। ଏତିକି କଥାରେ ତୃପ୍ତି ଅଭିମାନ କରି ଘରେ ଥିବା କ୍ଲୋରକୁଇନ ବଟିକାଗୁଡିକୁ ଏକ ସଙ୍ଗେ ଖାଇ ଦେଇଥିଲେ। କିଛି ସମୟ ପରେ ଅସୁସ୍ଥ ହୋଇପଡିବା ସହ କ୍ଲୋରକୁଇନ ବଟିକା ଖାଇଦେଇଥିବା କଥା କହିଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ ସୂତ୍ରରୁ ଜଣାପଡିଛି।