ନୟାଗଡ,ଏନ୍ଏନ୍ଏସ୍: କଙ୍ଗାରୁ କୋର୍ଟର ଦଣ୍ଡ ସହି ନପାରି ଯୁବକଙ୍କ ଆତ୍ମହତ୍ୟା ଘଟଣାକୁ ଇତି ମଧ୍ୟରେ ସପ୍ତାହେ ବିତିଗଲାଣି। ହେଲେ ଏବେ ଯାଏଁ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଗଣମାଧ୍ୟମରେ ବାରମ୍ବାର ଖବର ପ୍ରସାରଣ ପରେ ପୁଲିସ ଗାଁ ସଭାପତିଙ୍କୁ ଗିରଫ କରିଛି। ଯେଉଁ ଡାକ୍ତରଙ୍କ ଯୋଗୁଁ ଏତେ କାଣ୍ଡ ଘଟିଛି ତାଙ୍କ ବିରୋଧରେ ଏଯାବତ୍ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ତେଣୁ ଯଥାଶୀଘ୍ର ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ମୃତକଙ୍କ ପତ୍ନୀ।
ଏନେଇ ନୟାଗଡ ଏସପି କହିଛନ୍ତି, ବର୍ତ୍ତମାନ ମାମଲାରେ ତଦନ୍ତ ଚାଲିଛି ଏବଂ ତଥ୍ୟ ପ୍ରମାଣ ଯୋଗାଡ଼ କରାଯାଉଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅପରପକ୍ଷେ ସେଭଳି ଅଭିଯୋଗ ମୋ ପାଖକୁ ଆସିନାହିଁ କ୍ଷ ଆସିଲେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ। ମୁଁ ଏହି ଘଟଣା ବିଷୟରେ ଜାଣିବାକୁ ତଦନ୍ତ କରୁଛି ବୋଲି ଗଣମାଧ୍ୟମକୁ କହିଛନ୍ତି ନୟାଗଡ ସିଡିଏମ ଶକ୍ତି ପ୍ରସାଦ ମିଶ୍ର।
ଅଭିଯୋଗ ଅନୁସାରେ, ଖତିଆ ଗ୍ରାମର ସୁନନ୍ଦ ବେହେରା ନାମକ ଜଣେ ଯୁବକ ଗାଁର ଜଣେ ରୋଗୀଙ୍କୁ ନେଇ ଦର୍ପନାରାୟଣପୁର ମେଡିକାଲକୁ ଯାଇଥିଲେ। ମାତ୍ର ସେଠାରେ ଡାକ୍ତର ନ ଥିବାରୁ ମେଡ଼ିକାଲରେ ପାଟିତୁଣ୍ଡ କରିବା ସହ ମେଡିକାଲର ଅବ୍ୟବସ୍ଥା ନେଇ ଡାକ୍ତରଙ୍କୁ ଫୋନ ଯୋଗେ ଗାଳିଗୁଲଜ କରିଥିଲେ। ଏନେଇ ସମ୍ପୃକ୍ତ ଡାକ୍ତର ଗାଁର କଙ୍ଗାରୁ କୋର୍ଟରେ ଅଭିଯୋଗ କରିବା ପରେ ସୁନନ୍ଦଙ୍କୁ ୧୦ ହଜାର ଟଙ୍କା ଜୋରିମାନା ସାଙ୍ଗକୁ ସର୍ବସାଧାରଣରେ ଡାକ୍ତରଙ୍କ ଗୋଡ଼ ଧରି ଭୁଲ ମାଗିବାକୁ କୁହାଯାଇଥିଲା।
ସେହି ଅନୁସାରେ ସୁନନ୍ଦ କଙ୍ଗାରୁ କୋର୍ଟରେ ୮ ହଜାର ୫୦୦ ଟଙ୍କା ଜୋରିମାନା ଦେବା ସହ ଡାକ୍ତରଙ୍କ ଗୋଡ ଧରି ଭୁଲ ମାଗିଥିଲେ। ମାତ୍ର ସର୍ବସମ୍ମୁଖରେ ଡାକ୍ତରଙ୍କ ପାଦ ଧରି ପୁଣିଥରେ ଭୁଲ ମାଗିବାକୁ କୁହାଯାଇଥିଲା। ଏହାକୁ ସହି ନପାରି ସୁନନ୍ଦ ଗତ ରବିବାର ଆତ୍ମହତ୍ୟା କରିଥିଲେ। ଏନେଇ ସୁନନ୍ଦଙ୍କ ପତ୍ନୀ ରଣପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ କେବଳ ଗାଁ ସଭାପତି ଭାଗବତ ଭୂୟାଁ ଗିରଫ ହୋଇଛନ୍ତି।