ବିଧାନସଭା ସମ୍ମୁଖରେ ପୁଣି ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର, ଏନ୍ଏନ୍ଏସ୍: ବିଧାନସଭା ସମ୍ମୁଖରେ ପୁଣି ଆତ୍ମାହୁତି ଉଦ୍ୟମ। ଆଜି ଅପରାହ୍ଣରେ ଆଠଗଡ଼ର ତିନିଜଣ ଚାଷୀ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି। ତେବେ ଠିକ୍ ସମୟରେ ସହକାରୀ କମାଣ୍ଡାଣ୍ଟ ଲଳିତେନ୍ଦୁ ମହାନ୍ତି ଓ ଅନ୍ୟ ଅଧିକାରୀମାନେ ତାଙ୍କୁ କାବୁ କରିଥିଲେ । ଆଠଗଡ଼ କୋଅପରେଟିଭ୍ ବ୍ୟାଙ୍କ ଋଣ ଜାଲିଆତି ପାଇଁ ଏହି ୩ ଚାଷୀ ଆତ୍ମାହୁତି ଉଦ୍ୟମ କରିଥିବା ଜଣାପଡ଼ିଛି।

ସେମାନେ କହିଛନ୍ତି ଯେ, ଆମେ ଗରିବ ଲୋକ, ଚାଷ କଲେ ଚଳୁଛୁ। ଆମ ନାମରେ ଲକ୍ଷ ଲକ୍ଷ ଟଙ୍କା ଋଣ ନିଆଯାଇଛି। ଆମେ ଋଣ କରି ନ ଥିଲେ ବି ଆମ ମାନଙ୍କ ନାମରେ ଟଙ୍କା ଉଠାଯାଇଛି। ଲକ୍ଷଲକ୍ଷ ଟଙ୍କାର ଋଣ ହୋଇଥିବାରୁ ତାହା ଶୁଝିବୁ କିପରି? ତେଣୁ ଅନ୍ୟ ଉପାୟ ନ ପାଇ ବାଧ୍ୟ ହୋଇ ବିଧାନସଭା ଆଗରେ ଆତ୍ମହତ୍ୟା କରିବାକୁ ଆସିଛୁ। ଆମେ ଋଣ ନେଇନାହୁଁ, କାହିଁକି ଋଣ ଶୁଝିବୁ ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି। ଆଠଗଡ଼ ଅଞ୍ଚଳର ଋଣ ଜାଲିଆତି ଶିକାର ୩ ଚାଷୀଙ୍କ ଆତ୍ମାହୁତି ଉଦ୍ୟମ କରିଥିବା ଚାଷୀଙ୍କ ମଧ୍ୟରୁ ଜଣେ ଆଠଗଡ଼ର କୈଳାସ ନାୟକ ବୋଲି ଜଣାପଡିଛି। ଚାଷୀ ନେତା ଶେଷଦେବ ନନ୍ଦ କହିଛନ୍ତି ଯେ ଗରିବ ଚାଷୀଙ୍କୁ ଋଣମୁକ୍ତ କରାଯାଉ ଏବଂ ସେମାନଙ୍କ ନାମରେ ଅସାଧୁ ଉପାୟରେ ନିଆଯାଇଥିବା ଋଣ ପ୍ରସଙ୍ଗ ତଦନ୍ତ ହେଉ।