ଚିନି କଳ ଲାଭଦାୟକ ନୁହେଁ , ବିକ୍ରି ଦାମଠାରୁ ବଳି ଯାଉଛି ଉତ୍ପାଦନ ମୂଲ୍ୟ : ମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଚିନି ଶିଳ୍ପ ଆମ ପାଇଁ ଲାଭ ଦାୟକ ନୁହେଁ । ଏହା କେବଳ ରାଜ୍ୟର ନୁହେଁ ସାରା ଦେଶର ଅବସ୍ଥା। ଗୋଟିଏ କିଲୋ ଚିନି ଉତ୍ପାଦନ ପାଇଁ ପ୍ରାୟ ୪୮ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଏହା ୩୨ ଟଙ୍କାରେ ବିକ୍ରି ହେଉଛି । ତେଣୁ ଚିନିଶିଳ୍ପକୁ ପ୍ରାତ୍ସାହନ ଯୋଗାଇଦେବା ସରକାରଙ୍କ ପକ୍ଷେ କଷ୍ଟକର । ବିଜେପି ବିଧାୟକ ମୋହନ ମାଝୀଙ୍କ ମୂଳ ପ୍ରଶ୍ନ ଓ ଦେବେଶ ଆଚାର୍ଯ୍ୟ, ନରସିଂହ ମିଶ୍ର, ଲତିକା ପ୍ରଧାନ ଓ ଶ୍ରୀକାନ୍ତ ସାହୁଙ୍କ ଅତିରିକ୍ତ ପ୍ରଶ୍ନର ଉତ୍ତର ଦେଇ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହା କହିଛନ୍ତି।

ଶ୍ରୀ ସ୍ୱାଇଁ କହିଛନ୍ତି, ରାଜ୍ୟରେ ୮ଟି ବୃହତ ଚିନି କଳ ରହିଛି। ସେଥିମଧ୍ୟରୁ ଦୁଇଟି ଚିନି କାରଖାନା ଚାଲୁ ରହିଛି। ଦୁଇଟି ସମବାୟ ଚିନି ଶିଳ୍ପ ଯଥା କଟକ ଜିଲ୍ଲା ବଡ଼ମ୍ବା ସମବାୟ ଚିନି ଶିଳ୍ପ ଏବଂ ନୟାଗଡ଼ ସମବାୟ ଚିନିଶିଳ୍ପକୁ ଦୁଇଟି ଘରୋଇ ସଂସ୍ଥାକୁ ହସ୍ତାନ୍ତର କରାଯାଇଛି। ହେଲେ ଏହି ଦୁଇଟି ବର୍ତ୍ତମାନ କାର୍ଯ୍ୟକ୍ଷମ ଅବସ୍ଥାରେ ନାହିଁ। ରାଜ୍ୟରେ କାର୍ଯ୍ୟକ୍ଷମ ଥିବା ଚିନି ଶିଳ୍ପର ପୁନରୁଦ୍ଧାର ଓ ଉନ୍ନତ ଯନ୍ତ୍ରପାତି ପ୍ରତି ସ୍ଥାପନ ନିମନ୍ତେ ରାଜ୍ୟ ସରକାର ବଜେଟ୍ ଓ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରୁ ଆର୍ଥିକ ସହାୟତା ପ୍ରଦାନ କରିଆସୁଛନ୍ତି।

ଏହି ଶିଳ୍ପକୁ ଲାଭଜନକ କରାଇବା ପାଇଁ ଏକ ଅଗ୍ରଣୀ ବୈଷୟିକ ଅନୁଷ୍ଠାନକୁ ରିପୋର୍ଟ ଦେବାକୁ ପଦକ୍ଷେପ ନିଆଯାଇଛି। ଚିନି କାରଖାନା ଶିଳ୍ପ ବିଭାଗ ଅଧୀନରେ ଥିବାବେଳେ ସମବାୟ ଭିତ୍ତିରେ ଚାଲୁଥିବା ଚିନି କାରଖାନା ସମବାୟ ବିଭାଗ ହାତରେ ରହିଛି। ଦୁଇ ବିଭାଗ ମଧ୍ୟରେ ୫ବର୍ଷ ଭିତରେ ସମନ୍ୱୟ ବୈଠକ ବସିନାହିଁ । ଆବଶ୍ୟକ ହେଲେ ସରକାର ପଦକ୍ଷେପ ଗ୍ରହଣ କରିବେ। ବରଗଡ଼ ଚିନିକଳ ଉପରେ ବିଧାୟକ ଦେବେଶ ଆଚାର୍ଯ୍ୟ ପଚାରିଥିବା ଅତିରିକ୍ତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ ଏହି ଚିନିକଳ ଏବେ ଆଉ କାର୍ଯ୍ୟକ୍ଷମ ହୋଇପାରିବନାହିଁ । ଏହା ପୁରୁଣାକାଳିଆ ହୋଇଗଲାଣି। ସରକାରଙ୍କ ଉପରେ କାରଖାନା ସମ୍ପୂର୍ଣ୍ଣ ନିର୍ଭରଶୀଳ। ବରଗଡ଼ ଅଞ୍ଚଳର ଚାଷୀମାନେ ଧାନ ଚାଷ ପ୍ରତି ଆଗ୍ରହୀ ହୋଇ ଆଉ ଆଖୁଚାଷ ପାଇଁ ମନ ବଳାଉନାହାନ୍ତି ।

ଧାନ ଚାଷ କଲେ ତୁରନ୍ତ ପଇସା ମିଳିଯାଉଛି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ପଚାରିଥିଲେ ଯେ ବଲାଙ୍ଗିର ଜିଲ୍ଲାର ଦେଓଗାଁ ଠାରେ ଥିବା ବିଜୟାନନ୍ଦ ଚିନିକଳ ସଂକ୍ରାନ୍ତରେ ସରକାର କ’ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି? ପାନି ସୁଗାର ଏହାର ପରିଚାଳନା ଦାୟିତ୍ୱରୁ ଓହରି ଯିବାପରେ ସମବାୟ ବିଭାଗ ତାହାକୁ ହାତକୁ ନେଇଛି। ହେଲେ କାରଖାନା ଦୀର୍ଘବର୍ଷ ଧରି ଅଚଳ ହୋଇପଡ଼ିରହିଛି। କାରଖାନା ଥିବାରୁ ସେହି ଅଞ୍ଚଳରେ ଗୁଡ ପ୍ରସ୍ତୁତି ପାଇଁ କୁଟୀରଶିଳ୍ପ କରିବାକୁ ଚାହୁଁଥିବା ଲୋକଙ୍କୁ ଅନୁମତି ମିଳୁନାହିଁ । ଜିଲ୍ଲାପାଳଙ୍କ ସହିତ ଉଚ୍ଚସ୍ତରୀୟ ବୈଠକରେ ଏହି କାରଖାନାକୁ ଚଳାଇବା ପାଇଁ ନିଷ୍ପତ୍ତି ହୋଇଥିଲା ।

ହେଲେ ସରକାର ଏ ଦିଗରେ ପଦକ୍ଷେପ ଗ୍ରହଣ କଲେନାହିଁ । ସରାକର କ’ଣ ନିଷ୍ପତ୍ତି ନେଇଛନ୍ତି ମନ୍ତ୍ରୀ ଜଣାଇବାକୁ ଶ୍ରୀ ମିଶ୍ର କହିଥିଲେ। ଉତ୍ତରରେ ସମବାୟ ମନ୍ତ୍ରୀ କହିଥିଲେ ଯେ ୨୦୧୫-୧୬ ବର୍ଷରେ ସମବାୟ ସସ୍ଥା ଏହାକୁ ହାତକୁ ନେଇଥିଲା । ଋଣ ଓ ସୁଧ ମିଶି କାରଖାନା ଉପରେ ୫୨ଲକ୍ଷ ଟଙ୍କାର ବୋଝ ରହିଛି । ଏହାକୁ ବିକିବା ପାଇଁ ସରକାର ଚାହୁଁଛନ୍ତି। ହେଲେ ଖରିଦଦାର ମିଳୁନଥିବାରୁ ତାହା ବିକ୍ରି ହୋଇପାରୁନାହିଁ ।

ଆସ୍କା ଚିନିକଳ ସଂକ୍ରାନ୍ତରେ ବିଜେଡି ବିଧାୟିକା ଲତିକା ପ୍ରଧାନ ଓ ବିଧାୟକ ଶ୍ରୀକାନ୍ତ ସାହୁ ପଚାରିଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ଯେ ଏହି ଚିନିକଳରେ ୧୮କାଟି କ୍ଷତି ହେଉଛି। ଏଠାରେ ୨ଟି ବଟଲିଂ ପ୍ଲାଣ୍ଟ ରହିଛି । ସରକାର ଇତି ମଧ୍ୟରେ ଚିନିକଳକୁ ୩୫ କୋଟି ଟଙ୍କା ସହାୟତା ଦେଇଛନ୍ତି । ୨୦୧୬-୧୭ ବର୍ଷରେ ଏହି ଚିନିକଳ ମଦ ଉତ୍ପାଦନରୁ ୯କାଟି ଟଙ୍କା ଲାଭ କରିଥିବାବେଳେ ସେହିବର୍ଷ ଦେଶୀମଦ ପ୍ରସ୍ତୁତ ପାଇଁ କାରଖାନାକୁ ୫କାଟି ଟଙ୍କା ଦିଆଯାଇଛି ବୋଲି ମନ୍ତ୍ରୀ କହିଥିଲେ।