ଦୈନିକ ୧୦ ହଜାର କରୋନା ମାମଲା ବଢ଼ାଉଛି ଚିନ୍ତା

ନୂଆଦିଲ୍ଲୀ: ଦେଶରେ କରୋନା ଓ ତା’ର ନୂଆ ଭେରିଆଣ୍ଟ ଓମିକ୍ରନ୍ ମାମଲା ଲଗାତାର ଭାବେ ବଢ଼ିବାରେ ଲାଗିଛି। କେନ୍ଦ୍ର ସରକାର ୧୪ଟି ସହରରେ ହଠାତ ବଢ଼ୁଥିବା କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ୮ଟି ରାଜ୍ୟକୁ ଚିଠି ଲେଖି ତ୍ୱରିତ ଉପାୟ ଆପଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୃତ୍ୟୁ ଦରକୁ ରୋକିବା ଉପରେ କେନ୍ଦ୍ର ରାଜ୍ୟକୁ ତାଗିଦ କରିଛି। ଅନ୍ୟପଟେ ଦିଲ୍ଲୀରେ ଲାଗୁ ହୋଇଥିବା ଗ୍ରେଡେଡ ରେସ୍ପନ୍ସ ଆକ୍ସନ ପ୍ଲାନ ମଡେଲକୁ ସମଗ୍ର ରାଜ୍ୟରେ ଲାଗୁ କରିବା ଉପରେ କେନ୍ଦ୍ର ବିଚାର କରୁଥିବା ଜଣାପଡ଼ିଛି।

ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ଯେ, ଭାରତରେ ବର୍ତ୍ତମାନ ସୁଦ୍ଧା ମୋଟ ୯୬୧ଟି ଓମିକ୍ରନ୍ ମାମଲା ସାମ୍ନାକୁ ଆସିଛି। ସେଥିମଧ୍ୟରୁ ୩୨୦ଜଣ ସୁସ୍ଥ ହୋଇଛନ୍ତି। ୮ଟି ଜିଲ୍ଲାରେ ପଜିଟିଭିଟି ରେଟ ୧୦ ପ୍ରତିଶତ ରହିଛି। ଏଥିରେ ମିଜୋରାମର ୬, ଅରୁଣାଚଳ ପ୍ରଦେଶର ୧ ଓ ପଶ୍ଚିମବଙ୍ଗର କୋଲକାତା ସାମିଲ ରହିଛି। ଗତ ସପ୍ତାହରେ ଦୈନିକ ୮ ହଜାର ମାମଲା ସାମ୍ନାକୁ ଆସୁଥିଲା। ଆଉ ଏବେ ଦୈନିକ ୧୦ ହଜାର ପଜିଟିଭ ଚିହ୍ନଟ ହେଉଥିବା ରେକର୍ଡ କରାଯାଇଛି।