ସ୍ୱାଧୀନତା ସଂଗ୍ରାମରେ ନୟାଗଡ଼ର ଭୂମିକା ଗୁରୁତ୍ୱପୂର୍ଣ୍ଣ: ସୁଦାମ ମାରାଣ୍ଡି

ନୟାଗଡ଼,ଏନ୍ଏନ୍ଏସ୍: ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ନୟାଗଡ଼ ପିଟିଏସ୍ ପଡ଼ିଆରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁଦାମ ମାରାଣ୍ଡି ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ପରେଡ ଅଭିବାଦନ ଗ୍ରହଣ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଯେଉଁ ମହାମାନବ ବରପୁତ୍ର ନିଜର ଅସୀମ ତ୍ୟାଗ, ଆତ୍ମବଳୀ ଦେଇ ଆମ ପାଇଁ ସ୍ୱାଧୀନତା ଆଣି ଭାରତକୁ ଏକ ସାର୍ବଭୈାମ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ରାଷ୍ଟ୍ରରେ ପରିଣତ କରିଛନ୍ତି ସେମାନେ ଆଜିର ଦିନରେ ଚିରନମସ୍ୟ ବୋଲି କହଛନ୍ତି।

ଏଥିସହ ସେ କହିଛନ୍ତି ଯେ, ସରକାରଙ୍କର ଅନେକ ଜନହିତକର ଯୋଜନା ଗୁଡ଼ିକ ପ୍ରଣୟନ କରାଯାଇ ଲୋକମାନଙ୍କୁ ସୁବିଧା ସୁଯୋଗ ଦିଆଯାଇଛି। ରାଜ୍ୟ ସରକାରଙ୍କର ନେତୃତ୍ୱରେ ଦୁଇ ଦଶନ୍ଧି ଧରି ରାଜ୍ୟରେ ଏକ ସ୍ଥିର ଓ ଦୃଢ଼ ସରକାର ତିଷ୍ଠି ରହିଛି। କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିବା ସହ କରୋନା ଯୋଦ୍ଧାମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ଏଥିସହିତ ମନ୍ତ୍ରୀ ନୟାଗଡ଼ ଜିଲ୍ଲାର ପୂଜ୍ୟ ପୁରୁଷଙ୍କୁ ସ୍ମରଣ କରିଥିଲେ।

ସ୍ୱାଧୀନତା ସଂଗ୍ରାମରେ ନୟାଗଡ଼ର ଭୂମିକା ଗୁରୁତ୍ୱ ପୂର୍ଣ୍ଣ ବୋଲି ମନ୍ତ୍ରୀ କହିଛନ୍ତି। ଏହି ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ, ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର, ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଉପଜିଲ୍ଲାପଳ ଲଗ୍ନଜିତ ରାଉତ, ବନଖଣ୍ଡ ଅଧିକାରୀ ଧନରାଜ୍ ଏଚଡିଙ୍କ ସହ ଜିଲ୍ଲାର ଅନେକ ବରିଷ୍ଠ ବୁଦ୍ଧିଜୀବୀ ଯୋଗଦେଇଥିଲେ। ଆଜିର କାର୍ଯ୍ୟକ୍ରମରେ କରୋନା ଯୋଦ୍ଧାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଜଣାଯାଇଛି। ଡାକ୍ତର, ନର୍ସ ଏବଂ ଏଏନଏମଙ୍କ ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବସିବା ସ୍ଥାନ କରାଯାଇଥିଲା।ଏଥିସହିତ ଚଳିତ ବର୍ଷ ପ୍ରଥମ କରି ମୁଖ୍ୟ ଅତିଥି ପିଟିଏସ୍ ପଡ଼ିଆରେ ବୃକ୍ଷରୋପଣ କରିଥିବା ଜଣାଯାଇଛି।