ବିଧାୟକଙ୍କ ବଦାନ୍ୟତା, ଭୁବନେଶ୍ୱରରେ ଅସହାୟ ବନିତାର ସଫଳ ଅସ୍ତ୍ରୋପଚାର

ଝରିଗାଁ,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଚଚ୍ଚା ପଞ୍ଚାୟତ ଅନ୍ତର୍ଗତ ଗବାଗୁଡ଼ା ଗ୍ରାମର ଗୁମାନ ଗୌଡ଼ଙ୍କ ଛଅ ବର୍ଷର ଶିଶୁ କନ୍ୟା ବନିତା ଗୌଡ଼ଙ୍କ ଏକ ଦୁର୍ଘଟଣାରେ ଡାହାଣ ଗୋଡ଼ଟି ଭାଙ୍ଗିଯାଇଥିଲା। ଦୀର୍ଘ ଏକ ବର୍ଷ ହେବ ଅର୍ଥ ଅଭାବରୁ ଉନ୍ନତ ଚିକିତ୍ସାରୁ ବଞ୍ଚିତ ରହି ଏକପ୍ରକାର ଯନ୍ତ୍ରଣାମୟ ଜୀବନ ବିତେଇବାକୁ ବାଧ୍ୟ ହେଉଥିଲା। ଆଉ ଏହି ଅସହାୟ ଶିଶୁକନ୍ୟା ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶ ପାଇବାପରେ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ଏହି ଗରିବ ପରିବାରର ଦୁଃଖରେ ଭାଗିଦାର ହେବାପାଇଁ ଗବାଗୁଡା ଗାଁ’ରେ ପହଞ୍ଚି ଗୁମାନ ଗୌଡ଼ଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ଝିଅ ବନିତା ପାଇଁ ଆଉ ଚିନ୍ତା କରନ୍ତୁନି ସେ ନିଜେ ବନିତାର ଚିକିତ୍ସା ଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବିଧାୟକଙ୍କ ପ୍ରତିଶ୍ରୁତିର ଏକ ସପ୍ତାହ ମଧ୍ୟରେ ବନିତାର ଭୁବନେଶ୍ୱର ସ୍ଥିତ ଉତ୍କଳ ହସ୍ପିଟାଲରେ ଗତକାଲି ସଫଳ ଅସ୍ତ୍ରୋପଚାର କରାଯାଇଛି।

ସୂଚନାଯୋଗ୍ୟ ଯେ ୨୦୨୦ ମସିହା ଏପ୍ରିଲ ମାସରେ ଗବାଗୁଡା ଗ୍ରାମର କିଛି ପରିବାରଙ୍କ ସହିତ ଗୁମାନ ଗୌଡ଼ଙ୍କ ପରିବାର ମଧ୍ୟ ରୋଜଗାର ଚିନ୍ତାରେ ଭିଟାମାଟି ଛାଡି ଦାଦନ ଖଟିବା ପାଇଁ ବସ ଯୋଗେ ଆନ୍ଧ୍ରପ୍ରଦେଶ ଅଭିମୁଖେ ବାହାରି ଥିଲେ। ଆମ୍ବପାଣି ଘାଟିର କେନ୍ଦୁଗୁଡା ଗ୍ରାମ ନିକଟରେ ବସଟି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା।

ଫଳରେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରେ କୁନିଝିଅ ବନିତା ମଧ୍ୟ ଦୁର୍ଘଟଣାର ଶିକାର ହୋଇ ତାର ଡାହାଣ ଗୋଡ଼ଟି ଭାଙ୍ଗି ଯାଇଥିଲା। ପରିବାର ସଦସ୍ୟ ଅନେକ ଚିକିତ୍ସାଳୟରେ ଦେଖେଇବା ପରେ ବ୍ରହ୍ମପୁର ଡାକ୍ତରଖାନାରେ ବନିତାର ଅସ୍ତ୍ରୋପଚାର ହୋଇଥିଲା। ଗରିବ ଅସହାୟ ପରିବାର ପୂର୍ବରୁ ଜମି ବନ୍ଧକ ରଖି ଝିଅର ଚିକିତ୍ସାରେ ପ୍ରାୟ ୮୦ ହଜାର ଟଙ୍କା ଖର୍ଚ୍ଚ କରିସାରିଥିଲେ। ଆଗକୁ ଚିକିତ୍ସାରେ ଆବଶ୍ୟକ ଅର୍ଥ ଯୋଗାଡ଼ କରିବାକୁ ଏହି ଗରିବ ପରିବାର ଅସମର୍ଥ ଥିବା ଯୋଗୁଁ ସବୁ ଭଗବାନଙ୍କ ଭରସା ଓ ବନିତାର ଭାଗ୍ୟ ଉପରେ ଛାଡି ଦେଇଥିଲେ। ଏଣେ ବନିତା ମଧ୍ୟ ଯନ୍ତ୍ରଣାରେ ଛଟପଟ ହୋଇ ଭଲଭାବରେ ଚାଲିବାର ଆଶା ଛାଡି ଏକ ବାଡ଼ିକୁ ନିଜର ଆଶାବାଡି ସଜେଇ ଥିଲା। ଝରିଗାଁ ବିଧାୟକଙ୍କ ବଦାନ୍ୟତା ଯୋଗୁଁ ଶେଷରେ ବନିତା ଏବେ ଭଲରେ ଚାଲିପାରିବ।

ବନିତା ନିଜ ପରିବାର ସହିତ ବିଧାୟକଙ୍କ ଘରେ ଆଉ କିଛିଦିନ ରହି ସମ୍ପୂର୍ଣ୍ଣ ସୁସ୍ଥ ହେବାପରେ ନିଜ ଗାଁ’କୁ ଫେରିବ ବୋଲି ଜଣାଯାଇଛି। ଝିଅର ସଫଳ ଚିକିତ୍ସା ପରେ ଗରିବ ଦମ୍ପତି ଅଶ୍ରୁଭରା ଆଖିରେ ବିଧାୟକ ଓ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏଣେ ଗବଗୁଡା ଗ୍ରାମବାସୀ ମଧ୍ୟ ବନିତା ଓ ପରିବାରକୁ ଭୁବନେଶ୍ୱରରେ ନିଜ ପାଖରେ ରଖି ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିଥିବାରୁ ଦୁଇ ଭାଇଙ୍କୁ ଶୁଭେଚ୍ଛା ସହ ଆଶୀର୍ବାଦ ଦେଇଥିଲେ।