ମାଙ୍କଡ଼ ଉପରେ ‘କୋଭାକ୍ସିନ’ ଭ୍ୟାକ୍ସିନର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଭାରତୀୟ କମ୍ପାନୀ ଭାରତ ବାୟୋଟିକ୍ ଦ୍ୱାରା ପ୍ରସ୍ତୁତ ‘କୋଭାକ୍ସିନ’ ଭ୍ୟାକ୍ସିନର ପରୀକ୍ଷଣ ସଫଳ ସାବ୍ୟସ୍ତ ହୋଇଛି। ଉକ୍ତ ଭ୍ୟାକ୍ସିନକୁ ମାଙ୍କଡ଼ଙ୍କ ଉପରେ କରାଯାଇଥିବା ପରୀକ୍ଷଣରୁ ନୂଆ ଆଶା ଉଜ୍ଜୀବିତ ହୋଇଛି। କମ୍ପାନୀ ତରଫରୁ ମିଳିଥିବା ରିପୋର୍ଟ ମୁତାବକ, ୨୦ଟି ମାଙ୍କଡ଼କୁ ୪ଟି ଭିନ୍ନ ଭିନ୍ନ ଗ୍ରୁପରେ ବଣ୍ଟାଯାଇ ଥିଲା। ଏଥିସହିତ ୩ଟି ଗ୍ରୁପରେ ୧୪ ଦିନ ପର୍ଯ୍ୟନ୍ତ ୩ଟି ଭିନ୍ନ ଭିନ୍ନ ଭ୍ୟାକ୍ସିନ ଦିଆଯାଇଥିଲା। ଆଉ ଭ୍ୟାକ୍ସିନ ଦେବାର ୭ଦିନ ପରେ ମାଙ୍କଡ଼ଙ୍କ ନାକ, ବେକ ଓ ମୁଣ୍ଡ ପାଖ ସ୍ଥାନରେ ଭାଇରସ ନଥିବା ଦେଖିବାକୁ ମିଳିଥିଲା। ମୋଟାମୋଟି ଭାବେ କହିବାକୁ ଗଲେ ଭାଇରସ ବିରୋଧରେ ଲଢ଼ିବା ପାଇଁ ରୋଗ ପ୍ରତିରୋଧକ କ୍ଷମତା ବଢ଼ିଥିବା ନଜର ଆସିଥିଲା। କିନ୍ତୁ ଏହା କେବଳ ମାଙ୍କଡ଼ ଉପରେ କରାଯାଇଥିବା ପରୀକ୍ଷଣର ପରିଣାମ।

ସୂଚନାଯୋଗ୍ୟ, ମାଙ୍କଡ଼ ଉପରେ ପରୀକ୍ଷଣ ପରେ କମ୍ପାନୀ ତରଫରୁ ଦ୍ୱିତୀୟ ଚରଣ ଟ୍ରାଏଲ ମଧ୍ୟ ଆରମ୍ଭ ହୋଇଯାଇଛି। ଭାରତ ମୁଖ୍ୟତଃ ୩ଟି କରୋନା ଭ୍ୟାକ୍ସିନ ଉପରେ କାମ କରୁଛି। ଚଳିତ ବର୍ଷ ଶେଷସୁଦ୍ଧା କରୋନା ଭ୍ୟାକ୍ସିନ ଉପଲବ୍ଧ ହେବ ବୋଲି ସରକାରଙ୍କ ପକ୍ଷରୁ ଆଶା ରଖାଯାଇଛି।