ବୁଡ଼ାଜାହାଜ ନିର୍ମାଣ କରିବେ ଭାରତ-ରୁଷିଆ

ନୂଆଦିଲ୍ଲୀ: ନୌସେନାକୁ ଶକ୍ତିଶାଳୀ କରି ଗଢ଼ିତୋଳିବା ପାଇଁ ଭାରତ-ରୁଷ ମିଳିତ ଭାବେ ଅତ୍ୟାଧୁନିକ ବୁଡାଜାହାଜ ନିର୍ମାଣ କରିବେ। ରାଷ୍ଟ୍ରପତି ଭ୍ଲାଡିମୀର ପୁଟିନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଔପଚାରିକ ଭାବେ ଆଲୋଚନା ହୋଇଯାଇଛି।

ପ୍ରୋଜେକ୍ଟ ୭୫(ଆଇ) ଅଧୀନରେ ଭାରତୀୟ ନୌସେନା ପାଇଁ ୬ଟି ବୁଡାଜାହାଜ ନିର୍ମାଣ କରାଯିବାର ଯୋଜନା ଅଛି। ଏଥିପାଇଁ ଭାରତ ୪୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବ। ଗତ ଜୁନରେ ଭାରତୀୟ ନୌସେନା ପାଇଁ ବୁଡାଜାହାଜ ନିର୍ମାଣ ନିଷ୍ପତ୍ତି ଗ୍ରହଣ କରି ଭାରତ ସରକାର ବିଦେଶୀ କମ୍ପାନୀଙ୍କ ସହଯୋଗ କାମନା କରିଥିଲା।

ଭାରତର ପ୍ରସ୍ତାବକୁ ରୁଷିଆ ଗ୍ରହଣ କରିବା ପରେ ବୁଡାଜାହାଜ ନିର୍ମାଣ ପାଇଁ ବାଟ ଫିଟିଛି। ରୁଷିଆ ସୁଖୋଇ ଲଢ଼ୁଆ ଜେଟର ପଞ୍ଚମ ସଂସ୍କରଣ ସୁ-୫୭ ବିକିବା ପାଇଁ କାହାକୁ ପ୍ରସ୍ତାବ ଦେଇନି ବୋଲି ସ୍ପଷ୍ଟ କରିଛି। ଭାରତ ରୁଷିଆଠାରୁ ପ୍ରାୟ ୧୪.୫ ବିଲିଅନ୍ ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର କିଣିବ।