ସବମରିନ ଅପ୍ଟିକାଲ ଫାଇବର କେବୁଲର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ଏଣିକି ଆଣ୍ଡାମାନ ନିକୋବର ବାସୀଙ୍କ ନିକଟରେ ସ୍ପିଡ ଇଣ୍ଟରନେଟ ସେବା ଉପଲବ୍ଧ ହେବ। ଏଥିପାଇଁ ଚେନ୍ନାଇରୁ ସମୁଦ୍ର ତଳେ ପୋର୍ଟବ୍ଲେୟାର ପର୍ଯ୍ୟନ୍ତ ଅପ୍ଟିକାଲ ଫାଇବର କେବୁଲ ବିଛାଯାଇଛି। ଏହି ସବମରିନ ଅପ୍ଟିକାଲ ଫାଇବର କେବୁଲକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଛନ୍ତି। ଏହାଦ୍ୱାରା ସାରା ଦେଶକୁ ମିଳିବ ଡିଜିଟାଲ ଇଣ୍ଡିଆର ଫାଇଦା।

ସୂଚନା ଅନୁସାରେ ଡିସେମ୍ବର ୨୦୧୮ରେ ଏହି ପ୍ରକଳ୍ପର ମୂଳଦୁଆ ପଡ଼ିଥିଲା। ପ୍ରାୟ ୨ ହଜାର ୩୦୦ କିଲୋମିଟର ଲମ୍ବାର ଏହି ଅପ୍ଟିକାଲ ଫାଇବର କେବୁଲ ସମୁଦ୍ର ଗର୍ଭରେ ବିଛାଇବା ପାଇଁ ଖର୍ଚ୍ଚ ହୋଇଛି ୧୨ ଶହ ୨୪ କୋଟି ଟଙ୍କା। ଏଥିସହିତ ଉନ୍ନତ ଟେଲିକମ ଓ ବ୍ରଡବ୍ୟାଣ୍ଡ ସୁବିଧା ମିଳିବା, ସ୍ଥାନୀୟ ଅଞ୍ଚଳରେ ପର୍ଯ୍ୟଟନ ସହ ନିଯୁକ୍ତି ସୃଷ୍ଟି ହେବ ବୋଲି ପ୍ରଧାନମନ୍ତ୍ରୀ ଆଶା ରଖିଛନ୍ତି।

ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସମୁଦ୍ର ଗର୍ଭରେ କେବୁଲ ବିଛାଇବା ଏବଂ ତାହାର ଗୁଣାତ୍ମକ ରକ୍ଷଣାବେକ୍ଷଣ କରିବା ସହଜ ନ ଥିଲା। ବହୁ ବାଧା ବିଘ୍ନ ପରେ ଶେଷରେ ଏହା ସମ୍ପନ୍ନ ହୋଇଛି। କରୋନା ସଙ୍କଟ ବି କାମକୁ ଅଟକାଇ ପାରି ନାହିଁ। ଆଣ୍ଡାମାନ ସହିତ ଦେଶକୁ ଯୋଡ଼ିବା ଏବଂ ଯୋଗାଯୋଗ ସ୍ଥାପନ କରିବା ଦେଶର ଦାୟିତ୍ଵ ଥିଲା। ଦେଶର ସମସ୍ତ ନାଗରିକଙ୍କର ଦିଲ୍ଲୀ ଏବଂ ଦିଲ୍ଲୀଠାରୁ ଦୂରତା ଶେଷ କରାଯିବା ଏବଂ ପ୍ରତି ବ୍ୟକ୍ତି ପର୍ଯ୍ୟନ୍ତ ସୁବିଧା ପହଞ୍ଚାଇବା ଲାଗି ଆମେ ଉଦ୍ୟମ କରୁଛୁ। ଏହି ପ୍ରକଳ୍ପ ଦ୍ବାରା ଆଣ୍ଡାମାନର ଲୋକମାନଙ୍କୁ ଜୀବନ ନିର୍ବାହରେ ସୁବିଧା ମିଳିବ।