ଲେଖକ ଶୁଭେନ୍ଦୁ ମୁଣ୍ଡଙ୍କ ପରଲୋକ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ବିଶିଷ୍ଟ କବି ତଥା ସମାଲୋଚକ ଡକ୍ଟର ଶୁଭେନ୍ଦୁ ମୁଣ୍ଡଙ୍କର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ଦୁଇଦିନ ଧରି ତାଙ୍କୁ ସାମାନ୍ୟ ଜ୍ୱରହୋଇଥିଲା ଓ ସେ ହୃଦ୍‌ରୋଗରେ ମଧ୍ୟ ପୀଡ଼ିତ ଥିଲେ। ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଡ. ମୁଣ୍ଡ ଓଡ଼ିଆ ଭାଷାର ଜଣେ ପ୍ରତିଭାବାନ ବ୍ୟକ୍ତିତ୍ୱ ଥିଲେ। ତାଙ୍କ ମୃତ୍ୟୁରେ ଓଡ଼ିଆ ସାହିତ୍ୟ ଜଗତରେ ଗଭୀର ଶୋକର ଛାୟା ଖେଳିଯାଇଛି। ସୁବିଖ୍ୟାତ ଓଡ଼ିଆ କବି, ସାହିତ୍ୟିକ, ଅନୁବାଦକ, ଭାଷାବିଜ୍ଞ ଡକ୍ଟର ମୁଣ୍ଡ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରେ ୧୯୫୧ ମସିହାରେ ଜନ୍ମଗ୍ରହଣ କରିଥିଲେ।

ଇଂରାଜୀ ସାହିତ୍ୟରେ ଉପାଧ୍ୟୁତ୍ତର ଶିକ୍ଷାଲାଭ ପରେ ସେ ଓଡ଼ିଶା ଶିକ୍ଷାସେବାରେ ୧୯୭୩ରେ ଯୋଗଦେଇ ୩୫ ବର୍ଷ ଅଧ୍ୟାପନା କରିଥିଲେ। ବକ୍ସି ଜଗବନ୍ଧୁ ବିଦ୍ୟାଧର(ବିଜେବି) ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ ୨୦୦୯ରେ ଅବସର ଗ୍ରହଣ କରିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଡି ଉପାଧି ( ୧୯୯୬) ପ୍ରାପ୍ତି ପରେ ବହୁ ଛାତ୍ରଛାତ୍ରୀଙ୍କ ଗବେଷଣା କାର୍ଯ୍ୟରେ ସେ ଦିଗ୍‌ଦର୍ଶନ ଦେଇଆସୁଥିଲେ। ୧୯୯୧ରେ ବ୍ରିଟିଶ କାଉନ୍‌ସିଲ ଦ୍ୱାରା ମନୋନୀତ ହୋଇ ସୁଇଜରଲ୍ୟାଣ୍ଡର ଅବେଦୀନ ବିଶ୍ୱବିଦ୍ୟାଳୟରୁ ତାଲିମ ନେଇଥିଲେ। ୧୯୬୮ରୁ ସ୍ୱର୍ଗତ ମୁଣ୍ଡ ଲେଖାଲେଖି କରି ଆସୁଥିଲେ। ୧୯୭୨-୭୩ ବର୍ଷ ପାଇଁ ସେ ଓଡ଼ିଆ ଯୁବଲେଖକ ସମ୍ମିଳନୀର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ। ୧୯୬୯ ଠାରୁ ଉପାନ୍ତ ଅଞ୍ଚଳ ଜୟପୁରଠାରେ ଓଡ଼ିଆ ଭାଷା ଓ ସାହିତ୍ୟ ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ। ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ତାଙ୍କର କବିତା, ଗଳ୍ପ, ପ୍ରବନ୍ଧ ଆଦି ବେଶ୍ ପାଠକାଦୃତ ହୋଇଥିଲା। ତାଙ୍କର ‘ଏଇ ନିଃଶଙ୍କ’, ‘ମୁହୂର୍ତ୍ତଟିଏ ମୋହିନି’, ‘ସ୍ୱପ୍ନାବର୍ତ୍ତ’, ‘ଶବ୍ଦଫେଣ’, ‘ସ୍ଥିର ଉଡ଼ାଣ’, ‘ଅନ୍ତରଙ୍ଗ ଉଚ୍ଚାରଣ’ ଆଦି କବିତା ସଂକଳନକୁ ପାଠକ ଖୁବ୍ ପସନ୍ଦ କରିଥିଲେ। ସେହିପରି ସ୍ୱର୍ଗତ ମୁଣ୍ଡଙ୍କ ଗଳ୍ପ ସଂକଳନ ମଧ୍ୟରେ ‘ଛକ’, ‘ସୀମାବଦ୍ଧ’ ଆଦି ରହିଛି। ସେହିପରି ତାଙ୍କ ଅନୁବାଦ ପ୍ରକାଶନ ମଧ୍ୟରେ ‘ଲୋଭି ବାଛୁରୀ’ ଓ ‘ତ୍ୟାଗରାଜ’ ଅନ୍ୟତମ। ସ୍ୱର୍ଗତ ମୁଣ୍ଡ ତାଙ୍କ ସାହିତ୍ୟ ସର୍ଜନା ପାଇଁ ଅନେକ ଥର ସମ୍ମାନିତ ତଥା ସମ୍ବର୍ଦ୍ଧିତ ହୋଇଛନ୍ତି।

ସୁନାମଧନ୍ୟ ଅଧ୍ୟାପକ, ଅନୁବାଦକ ଏବଂ ଲେଖକ ଡକ୍ଟର ଶୁଭେନ୍ଦୁ ମୁଣ୍ଡଙ୍କ ପରଲୋକ ଖବର ଜାଣି ମୁଁ ଦୁଃଖିତ । ତାଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଉଛି। ତାଙ୍କର ସାରସ୍ୱତ କୃତି ଓ କୀର୍ତ୍ତି ପାଇଁ ସେ ଚିରସ୍ମରଣୀୟ ହୋଇ ରହିବେ।
– ପ୍ରଫେସର ଗଣେଶୀ ଲାଲ, ରାଜ୍ୟପାଳ
ବିଶିଷ୍ଟ ସାହିତ୍ୟିକ, ସମୀକ୍ଷକ ତଥା ଶିକ୍ଷାବିତ୍ ଡ. ଶୁଭେନ୍ଦୁ ମୁଣ୍ଡଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ମୋର ସମବେଦନା ଜଣାଉଛି।
– ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀ
ଓଡ଼ିଶାର ବିଶିଷ୍ଟ ଲେଖକ, ଅନୁବାଦକ ତଥା ସମୀକ୍ଷକ ଡକ୍ଟର ଶୁଭେନ୍ଦୁ ମୁଣ୍ଡଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ। ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ଚିରସ୍ମରଣୀୟ ହୋଇ ରହିବ। ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି।
-ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ