ସୁବର୍ଣ୍ଣପୁର ଜିଲ୍ଲାରେ କାର୍ଯ୍ୟରତ ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କ ବିଭିନ୍ନ ଦାବିକୁ ନେଇ ବିକ୍ଷୋଭ

ସୁବର୍ଣ୍ଣପୁର,ଏନ୍ଏନ୍ଏସ୍: ସୁବର୍ଣ୍ଣପୁର ଜିଲ୍ଲାରେ କାର୍ଯ୍ୟରତ ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କ ବିଭିନ୍ନ ଦାବିକୁ ନେଇ ଆଜି ଏକ ବିରାଟ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ମଜଦୁର ସଂସ୍ଥା ଦ୍ବାରା ଅନୁବନ୍ଧିତ ଅଲ୍ ଓଡିଶା ଅଙ୍ଗନବାଡି ମହିଳା କର୍ମୀ ସଂଗଠନ, ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ୧୪ ଦଫା ଦାବିକୁ ନେଇ ରାଜ୍ୟ ସରକାର ବିରୋଧରେ ନାରାବାଜି କରିଛନ୍ତି। ଏଥିସହ ଜିଲ୍ଲାପାଳ କାର୍ଯ୍ୟାଳୟକୁ ୧ ଘଣ୍ଟା ଧରି ହଜାର ହଜାର ଅନ୍ଦୋଳନକାରୀ ମହିଳା କର୍ମୀ ଘେରାଉ କରିଛନ୍ତି।

ସମସ୍ତ ଅଙ୍ଗନବାଡି ଓ ସହାୟିକାଙ୍କୁ ସରକାରୀ ମାନ୍ୟତା, ଅଙ୍ଗନବାଡି କର୍ମୀଙ୍କୁ ମାସିକ ୨୧ ହଜାର ଓ ସହାୟିକାଙ୍କୁ ୧୫ ହଜାର ଦରମା ପ୍ରଦାନ, ରାଷ୍ଟ୍ରୀୟ ନୀତି ୨୦୨୦ ଅନୁସାରେ ଅଙ୍ଗନବାଡି କର୍ମୀଙ୍କୁ ପ୍ରି ପ୍ରାଇମେରି ଟିଚର୍ସ ମାନ୍ୟତା, ଶିକ୍ଷାଗତ ଯୋଗ୍ୟତା ଓ ବରିଷ୍ଠତା ଭିତ୍ତିରେ ବୃଦ୍ଧି ସହ ଅବସରକାଳୀନ ଭତ୍ତା ପ୍ରଦାନ ଏବଂ କେନ୍ଦ୍ର ସରକାରଙ୍କ ପୋଷଣ କାର୍ଯ୍ୟ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଲ୍ୟାପଟପ୍ ପ୍ରଦାନ ପରି ୧୪ ଦଫା ଦାବି କରାଯାଇଛି।

ସୁବର୍ଣ୍ଣପୁର ଜିଲ୍ଲା ଶାଖାର ସଭାନେତ୍ରୀ ମମତା ପଣ୍ଡା ଓ ସମ୍ପାଦିକା ପୁଷ୍ପାଞ୍ଜଳି ଦାଶଙ୍କ ନେତୃତ୍ବରେ ଜିଲ୍ଲାର ୬ଟି ବ୍ଲକର ଗ୍ରାମାଞ୍ଚଳରେ କାର୍ଯ୍ୟରତ ଅଙ୍ଗନବାଡି କର୍ମୀ ଓ ସହାୟିକା ଏହି ଆନ୍ଦୋଳନରେ ସାମିଲ ହୋଇ ନ୍ୟାର୍ଯ୍ୟ ଦାବି ଜଣାଇଥିବାବେଳେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନ କରିଛନ୍ତି।