ଅବକାରୀ ବିଭାଗର ଚଢ଼ଉ ବେଳେ ମହିଳାଙ୍କ ଆକ୍ରମଣରେ ସବଇନସ୍ପେକ୍ଟର ଗୁରୁତର

ଦେବଗଡ଼,ଏନ୍ଏନ୍ଏସ୍: ବାରକୋଟ ଥାନା ଅନ୍ତର୍ଗତ କତ୍ରାପାଲି ଗ୍ରାମରେ ବେଆଇନ ମଦ ବିକ୍ରି ହେଉଥିବା ସୂଚନା ପାଇ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା। ଏହି ସମୟରେ ଜଣେ ମହିଳାଙ୍କ ଆକ୍ରମଣରେ ବାରକୋଟ ଅବକାରୀ ବିଭାଗର ଜଣେ ସବଇନସ୍ପେକ୍ଟର ଗୁରୁତର ହୋଇଥିବା ଜଣାପଡ଼ିଛି। ଅଭିଯୋଗ ଆଧାରରେ ବାରକୋଟ ଥାନା ପୁଲିସ ଏକ ମାମଲା ରୁଜୁ କରିବା ସହ ଉକ୍ତ ଆକ୍ରମଣକାରୀ ମହିଳାଙ୍କୁ ଥାନାରେ ଅଟକ ରଖିଛି।

ପୁଲିସ ସୂଚନା ଅନୁସାରେ ବାରକୋଟ ଅବକାରୀ ବିଭାଗ ପକ୍ଷରୁ ସବଇନସ୍ପେକ୍ଟର ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ କତ୍ରାପାଲି ଗ୍ରାମର କୁମୁଦ କିସାନଙ୍କ ଘରେ ବେଆଇନ ମଦ ବିକ୍ରି ଅଭିଯୋଗରେ ଚଢ଼ଉ ପାଇଁ ଯାଇଥିଲେ। ତେବେ ଘରେ କୁମୁଦ ନ ଥିବାବେଳେ ତାଙ୍କ ସ୍ତ୍ରୀ ପାର୍ବତୀ କିସାନ(୩୭) ଅବକାରୀ ବିଭାଗ କର୍ମଚାରୀଙ୍କୁ ଦେଖି ପାଟି ତୁଣ୍ଡ କରିବା ସହ ଘର ଭିତରକୁ ଯିବାକୁ ବାରଣ କରିଥିଲେ। ଏଥିରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବାରୁ ପାର୍ବତୀ ଗୁହାଳରେ ଥିବା ଗୋରୁ ବନ୍ଧା ଖୁଣ୍ଟିକୁ ଉପାଡି ସବଇନସ୍ପେକ୍ଟର ଶ୍ରୀ ସାହୁଙ୍କ ଉପରକୁ ଆକ୍ରମଣ କରିଥିଲେ।

ଆକ୍ରମଣରୁ ବର୍ତ୍ତିବା ପାଇଁ ଶ୍ରୀ ସାହୁ ଉକ୍ତ ଖୁଣ୍ଟିକୁ ଅଟକାଇବାକୁ ଚେଷ୍ଟା କରୁଥିବା ସମୟରେ ଏହା ବାମ ହାତରେ ଲାଗିଥିଲା। ଫଳରେ ଶ୍ରୀ ସାହୁଙ୍କ ବାମହାତ ହାଡ଼ ଭାଙ୍ଗି ଯାଇଥିବା ଏବଂ ସେ ଏବେ ମଧ୍ୟ ବାରକୋଟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଶ୍ରୀ ସାହୁ ଏନେଇ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିବା ପରେ ବାରକୋଟ ଥାନା ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମହିଳା ପାର୍ବତୀକୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।