ଇଛାଶକ୍ତି ଆଗରେ ହାର ମାନିଛି ପାଠପଢ଼ା

ଗୁଡ଼ିଆବନ୍ଧର ଗାଁ ବୈଜ୍ଞାନିକ ଉଦୟ

ରାୟଗଡ଼ା,ଏନ୍ଏନ୍ଏସ୍: ଇଛାଶକ୍ତିି ଥିଲେ ଅସମ୍ଭବକୁ ସମ୍ଭବ କରିହେବ। ଯାହାର ପ୍ରମାଣ କରି ଦେଖେଇଛନ୍ତି ଜଣେ ପାଠ ପଢ଼ି ନଥିବା ନାମକୁ ମାତ୍ର ଚାଷୀ। ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଗୁଡ଼ିଆବନ୍ଧ ଗାଁରେ। ସେହି ଗାଁର ଉଦୟ ଶବର ନିଜ ସ୍ୱଳ୍ପ ବୁଦ୍ଧିରେ ଏବଂ କମ ଖର୍ଚ୍ଚରେ ଏକ ଧାନ ବେଉସଣ ଯନ୍ତ୍ରଟିଏ ତିଆରିକରି ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି । ପିଲାଟି ଦିନରୁ ଉଦୟଙ୍କୁ କିଛି କରିବା ପାଇଁ ମନରେ ରହିଥିଲା ଅଦମ୍ୟ ଇଛା। ହେଲେ ପରିବାର ଆର୍ଥିକ ସ୍ଥିତି ଭଲ ନଥିବାରୁ ଚତୁର୍ଥ ଶ୍ରେଣୀରୁ ହିଁ ପାଠପଢ଼ାରେ ଡ଼ୋରି ବନ୍ଧା ହେଲା।

ସେହିଦିନରୁ ନିଜର ନାମକୁ ମାତ୍ର ଜମିରେ ବାପାଙ୍କ ସହିତ ଚାଷକାମରେ ଯୋଗଦେଲେ। ବିଜ୍ଞାନ ଓ କାରିଗରୀକୁ ଉପଯୋଗ କରି କ୍ରମବିକଶିତ ସମାଜରେ ଚାଷ ପ୍ରଣାଳୀ, ରାସାୟନିକ ସାର, ଔଷଧ ଠାରୁ ଆରମ୍ଭ କରି ଉନ୍ନତ ଧରଣର ଚାଷ ଉପକରଣ ଚାଷ କ୍ଷେତରେ ଉପଯୋଗ କରିଚାଲିଛନ୍ତି। ହେଲେ ଶିକ୍ଷା ଓ ଅର୍ଥନୈତିକ ଦୁର୍ବଳ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପାଇଁ ଏ ସବୁ ଅସମ୍ଭବ ହୋଇପଡିଛି। କିନ୍ତୁ ଏବେ ଗୋଡିଆବନ୍ଧର ଉଦୟ ଶବର ଓରଫ ଓଡିଆ ବାବୁ ଚାଷୀଙ୍କ ପାଇଁ କମ୍ ଖର୍ଚ୍ଚ ରେ ଏକ ଚାଷ ମେସିନ ତିଆରି କରିଛନ୍ତି ଯାହାକୁ ଯେ କୌଣସି ଅଣତାଲିମପ୍ରାପ୍ତ ଚାଷୀ ଚଳାଇପାରିବେ ଓ ଉପକୃତ ହୋଇପାରିବେ।

କ୍ଷୁଦ୍ର ଓ ନାମମାତ୍ର ଚାଷୀ ପାଇଁ ଗାଁ ବିଜ୍ଞାନୀ ସ୍ୱଳ୍ପ ମୂଲ୍ୟରେ ତିଆରି କରିଛନ୍ତି ଏହି ଚାଷ ମେସିନ। ଅଦରକାରୀ ସ୍କୁଟର ଇଞ୍ଜିନ୍, ହ୍ୟାଣ୍ଡେଲ, ଚକ, କ୍ଳଚ୍ ଆଦିକୁ ବ୍ୟବହାର କରି ତିଆରି କରିଛନ୍ତି ଏହି ମେସିନ୍। ଏହା ୧ ଲିଟର ପେଟ୍ରୋଲରେ ୧ ଘଣ୍ଟାରେ ପ୍ରାୟ ଏକର ଜମିରୁ ଅଧିକ ଚାଷ କରିପାରିବ। ମାତ୍ର ୭ହଜାର ଟଙ୍କାରେ ପ୍ରସ୍ତୁତ ମେସିନକୁ ଯେ କୌଣସି ଅଣତାଲିମପ୍ରାପ୍ତ ଚାଷୀ ଚାଳନା କରିପାରିବେ। ଚକ ଛୋଟ ଅଧିକ ଗଭୀରରେ ଚାଷ କରି ନ ପାରିବା ଯୋଗୁଁ ଏହା ଧାନ ଚାଷ ଅପେକ୍ଷା କପା ଚାଷରେ ବେଶ ସହାୟକ ହେବ। ଏହା କେବଳ ୩.୫ ଇଞ୍ଚ ଯାଏଁ ମାଟି ଭିତରକୁ ଚାଷ କରିପାରିବ। ଯେଉଁ ଜମିକୁ ଟ୍ରାକ୍ଟର ଯାଇପାରିବ ନାହିଁ ସେହି ଜମିରେ ଅନାୟସରେ ଏହି ମେସିନଦ୍ୱାରା ଚାଷ କରିହେବ। ତେଣୁ ଏହା ଶୁଖିଲା ଚାଷ, କପା ବାଡ, କୋଡା ଖୋସା ଭଳି କାମରେ ବେଶ୍ କାମ କରୁଥିବା ପରୀକ୍ଷା ପରେ ଜଣାପଡିଛି।

ଏଣୁ ଏହାକୁ ଅଧିକ ଉନ୍ନତ ଯଥା, ୩୫ ଏଚପି ଇଂଜିନ, ବସିବା ପାଇଁ ସିଟ୍, ଆଦି ଅପଡେଟ୍ କରିବା ପାଇଁ ଯୋଜନା କରିଛନ୍ତି ଉଦୟ। ଏହା ଆଗରୁ ଉଦୟ ଭୋଜି ପାଇଁ ରନ୍ଧା ହୋଇଥିବା ବଡ ବଡ ହଣ୍ଡାକୁ ଓହ୍ଲାଇବା ପାଇଁ ଅରଟ ଚକ ଲଗାଇ ଦେଶୀୟ ପଦ୍ଧତିରେ ଏକ ପୁଲି ମେସିନ ପ୍ରସ୍ତୁତ କରି ସଫଳତା ପାଇଛନ୍ତି। ସାଇକେଲ୍ ଚକ କୁ ବ୍ୟବହାର କରି ଧାନ ବୁଣା ମେସିନ୍ ତିଆରି କରିଛନ୍ତି। ଆଗକୁ ଆହୁରି ଆଉ କିଛି ଚାଷ ଉପକରଣ ଯନ୍ତ୍ରପାତି ତିଆରି କରିବା ଯୋଜନା କରିଥିବା କହିଛନ୍ତି ଉଦୟ। ମାତ୍ର ଚାରି ଶ୍ରେଣୀ ପାଠ ପଢିଥିବା ଉଦୟଙ୍କ ଏ ସବୁ ଯନ୍ତ୍ର ତିଆରି କରିବାରେ ଆଖପାଖ ଚାଷୀ ଓ ସାଧାରଣ ଲୋକେ ସହଯୋଗ କରିଥିବାରୁ ସେ ଧନ୍ୟବାଦ ଦେଇଛନ୍ତି। ସେପଟେ ଜିଲ୍ଲା ବ୍ଳକ୍ କୃଷି ଅଧିକାରୀ ଏଭଳି କାର୍ଯ୍ୟକୁ ସରକାରୀ ସ୍ତରରେ ପ୍ରୋତ୍ସାହନ ଦେବା ପାଇଁ ଚେଷ୍ଟା କରିବୁ ବୋଲି କହିଛନ୍ତି। ଶିକ୍ଷାର ଅଭାବ ଓ ଅର୍ଥନୈତିକ ପ୍ରତିକୂଳ ସ୍ଥିତି ମଧ୍ୟରେ କର୍ମମୟ ଜୀବନରେ ନିଷ୍ଠା ଓ ଆଗ୍ରହ ହିଁ ଗାଁ ବିଜ୍ଞାନୀ ଉଦୟଙ୍କ ପାଇଁ ସଫଳତା ଆଣିଦେଇଛି।