ପାଣିରେ ବୁଡି ଛାତ୍ରର ମୃତ୍ୟୁ

ନିଶ୍ଚିନ୍ତକୋଇଲି,ଏନ୍ଏନ୍ଏସ୍: ନିଶ୍ଚିନ୍ତକୋଇଲି ବ୍ଲକ୍ ଅଧିନସ୍ଥ ଜିଗ୍ନୀପୁର ଗ୍ରାମର ଦେବେନ୍ଦ୍ର ନାଥ ମିଶ୍ରଙ୍କର ଏକମାତ୍ର ପୁତ୍ର ଅଭିଜିତ୍ ମିଶ୍ର (୧୨ବର୍ଷ) ପାଣିରେ ବୁଡି ମୃତ୍ୟୁବରଣ କରିଛନ୍ତି। ଅଭିଜିତ ଆଜି ଭୋରୁ କେଉଁ ଆଡେ ଚାଲିଯାଇଥିବା ନେଇ ଘର ଲୋକେ ଖୋଜାଖୋଜି କରିଥିଲେ। ତାଙ୍କୁ ନପାଇବାରୁ ଘର ପାର୍ଶ୍ୱ ଦେଇ ଯାଇଥିବା ୮ନଂ-ଏ କେନାଲ ପାଣିରେ ବୁଡି ଯିବା ନେଇ ସନ୍ଦେହ କରି ପରିବାର ଲୋକେ ଖୋଜାଖୋଜି କରିଥିଲେ।

ପୂର୍ବାହ୍ନ ୧୦ଟା ୩୦ରେ ତାଙ୍କ ଘର ପାଖରୁ ୫୦୦ ମିଟର ଦୂରରେ ବସୁପଦା ମୁସଲମାନ ସାହି ନିକଟରେ ଉକ୍ତ ଶିଶୁର ମୃତ ଦେହ ଭାସୁଥିବାର ଦେଖି ଲୋକମାନେ ଉଦ୍ଧାର କରିଥିଲେ। ଖବରପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପିଲାଟିକୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ବଡ ମେଡିକକାଲ ପଠାଇଛି। ଅଭିଜିତଙ୍କ ଅକାଳ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।