ବିଷାକ୍ତ ଖାଦ୍ୟ ଖାଇ ୧୬ ଛାତ୍ରୀ ଅସୁସ୍ଥ: ୮ ଆଇଜିଏଚରେ ଭର୍ତ୍ତି

ରାଉରକେଲା,ଏନ୍ଏସ୍ଏସ୍: ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ଦଲପୋଷସ୍ଥିତ ଇସ୍ପାତ ଆଇଟିଆଇର ପ୍ରାୟ ୧୬ ଜଣ ଛାତ୍ରୀ ରବିବାର ରାତିରେ ଖାଦ୍ୟ ଖାଇ ପରେ ଅସୁସ୍ଥ ହୋଇପଡ଼ିଥିଲେ। ଏଥିରୁ ୮ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଆଇଜିଏଚରେ ଭର୍ତ୍ତି କରାଯାଇଥିଲା। ଗୁରୁତର ଛାତ୍ରୀମାନେ ହେଲେ ସୁନୀତା ମହତୋ, ମମତା ଗଞ୍ଜୁ, ଅନୁପମା ଏକ୍କା, ଆଶା ଡୁଙ୍ଗ୍ଡୁଙ୍ଗ୍, ପ୍ରେମିକା ସାମଦ, କୃପା ଯୋଯୋ, ସୁନୀତା ଓରାମ ଓ ପ୍ରୀତିମଲ୍ଲିକ ସିନ୍ଦୁର। ତେବେ ଏହା କେଉଁ କାରଣରୁ ହୋଇଛି ତାହାର ତଦନ୍ତ କରାଯାଉଛି। ଏ ନେଇ କଲେଜ କର୍ତ୍ତୃପକ୍ଷ ପ୍ରତିକ୍ରିୟା ଦେବାକୁ ମନା କରିଥିଲେ।

ସୂଚନା ଅନୁଯାୟୀ, ଇସ୍ପାତ ଆଇଟିଆଇ ଛାତ୍ରବାସରେ ୯୦ ଜଣ ବାଳକ ଓ ବାଳିକା ରହୁଛନ୍ତି। ରବିବାର ସନ୍ଧ୍ୟାରେ ପ୍ରଥମେ ବାଳିକାଙ୍କୁ ଖାଦ୍ୟ ପରସା ଯାଇଥିଲା। ସେମାନେ ଭାତ, ଡାଲି ଓ ତରକାରୀ ଖାଇବାର କିଛି ସମୟ ପରେ ପେଟ କାଟିବା ଓ ବାନ୍ତି ହେବା ଅଭିଯୋଗ କରିଥିଲେ। ସେମାନଙ୍କ ମଧ୍ୟରୁ କେତେକଙ୍କର ଅବସ୍ଥା ଗୁରୁତର ହେବାକୁ ତୁରନ୍ତ ଆଇଜିଏଚରେ ଭର୍ତ୍ତି କରାଯାଇଥିଲା।