ଗାଧୋଇବା ବେଳେ ଛାତ୍ରକୁ ଖାଇଗଲା କୁମ୍ଭୀର

ମାଲକାନଗିରି/କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡାସ୍ଥିତ ବାଲିମେଳା ଜଳ ଭଣ୍ଡାରରେ ସ୍ନାନ କରିବାକୁ ଯାଇଥିବା ବେଳେ ଜଣେ ଛାତ୍ରକୁ କୁମ୍ଭୀର ଖାଇଦେଇଥିବା ଜଣାପଡ଼ିଛି। ଗତକାଲି ମଧ୍ୟାହ୍ନରେ ଚିତ୍ରକୋଣ୍ଡା ଝୋଲାଗୁଡା ଅପରେଟର କଲୋନୀର କୈଳାସ ମାଝୀ ଓ ଅଜୟ ଖରା ନାମକ ଛାତ୍ର ନିକଟରେ ଥିବା ଜଳଭଣ୍ଡାରର ଲିଙ୍କ ଜଳାଶୟକୁ ଗାଧୋଇବାକୁ ଯାଇଥିଲେ।

ଗାଧୋଇବା ସମୟରେ ହଠାତ କୈଳାସ ନିଖୋଜ ହୋଇଯାଇଥିଲା। ଏ ସମ୍ପର୍କରେ ଅଜୟ ଖରା କୈଳାସର ପରିବାରକୁ ଖବର ଦେଇଥିଲା। ପରିବାର ଲୋକେ ଖବରପାଇ ବହୁ ଖୋଜାଖୋଜି କରିଥିଲେ। ଆଜି ସକାଳୁ କୈଳାସର ଗୋଡ଼ ଓ ହାତ ନଥିବା କ୍ଷତ ବିକ୍ଷତ ଶବକୁ ନଦୀ ମଧ୍ୟରୁ ଉଦ୍ଧାର କରାଯାଇଛି। ତେବେ ପୂର୍ବରୁ ଏଠାରେ କୁମ୍ଭୀର ପାଣି ପିଇବାକୁ ଆସୁ ଥିବା ପଶୁଙ୍କୁ ମଧ୍ୟ ଆକ୍ରମଣ କରୁଥିବା ସ୍ଥାନୀୟ ଲୋକ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ଓ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଜଳାଶୟରେ ପ୍ରାୟ ୩ ଟି କୁମ୍ଭୀର ଥିବା ସୂଚନା ମିଳିଛି।