ଛାତ୍ର ସଂସଦ ନିର୍ବାଚନ ବନ୍ଦ ନିଷ୍ପତ୍ତି ବିରୋଧରେ ଆଇନ୍‍ ଅମାନ୍ୟ ଆନ୍ଦୋଳନ

ଭୁବନେଶ୍ୱର,୨୭ା୮/ଏନ୍ଏନ୍ଏସ୍: ରାଜ୍ୟର ସମସ୍ତ ବିଶ୍ୱ ବିଦ୍ୟାଳୟ, ଡିଗ୍ରୀ କଲେଜ ତଥା ଅନୁଦାନପ୍ରାପ୍ତ ମହାବିଦ୍ୟାଳୟମାନଙ୍କରେ ଛାତ୍ରସଂସଦ ନିର୍ବାଚନ ବନ୍ଦ କରିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଏଆଇଡିଏସଓ ରାଜ୍ୟ ପରିଷଦ ପକ୍ଷରୁ ବିରୋଧ କରାଯାଇ ସୋମବାର ବିଧାନସଭା ସମ୍ମୁଖରେ ଆଇନ୍‍ ଅମାନ୍ୟ ଆନ୍ଦୋଳନ କରାଯାଇଛି । ସୂଚନା ଅନୁଯାୟୀ ଆଜି ରାଜ୍ୟ ବିଜେଡି ସରକାର ଇତିହାସକୁ ଉପେକ୍ଷା କରି ଛାତ୍ରସଂସଦ ନିର୍ବାଚନକୁ ବନ୍ଦ କରିବାକୁ ପାଇଁ ଛାତ୍ରଛାତ୍ରୀମାନଙ୍କର ଏହି ଗଣତାନ୍ତ୍ରିକ ଅଧିକାରକୁ ଛଡ଼େଇ ନେଉଛନ୍ତି । ଇତିହାସରେ ଛାତ୍ରସଂସଦ ନିର୍ବାଚନ ଆମ ରାଜ୍ୟ ତଥା ଦେଶରେ ବହୁ ବରେଣ୍ୟ ଜନନେତା, ସାହିତ୍ୟିକ, ବୈଜ୍ଞାନିକମାନଙ୍କୁ ସୃଷ୍ଟି କରିଛି । ଭବିଷ୍ୟତରେ ମଧ୍ୟ ଏହା ଅପରିହାର୍ଯ୍ୟ ରହିବ ।
ଛାତ୍ରାବସ୍ଥାରୁ ଦେଶର ନେତୃତ୍ୱ ଦେବାପାଇଁ ଛାତ୍ର ସଂସଦ ସୁଯୋଗ ସୃଷ୍ଟି କରିଥାଏ । ବର୍ତ୍ତମାନ ଆମ ରାଜ୍ୟରେ ଦୀର୍ଘ ୧୯ବର୍ଷ ଧରି ଶାସନ କ୍ଷମତାରେ ଥିବା ରାଜ୍ୟ ବିଜେଡି ସରକାର ବହୁ ଶିକ୍ଷା ବିରୋଧୀ ନୀତି ପ୍ରଣୟଣନ କରିଛନ୍ତି । ଏହାର ପରିଣାମରେ ରାଜ୍ୟରେ ହଜାର ହଜାର ଶିକ୍ଷକ ଅଧ୍ୟାପକ ପଦ ଖାଲି ପଡ଼ିବା ସହିତ ଶିକ୍ଷାର ଘରୋଇକରଣ-ବ୍ୟବସାୟୀକରଣ ନୀତି ଯୋଗୁ ଲଗାମହୀନ ଫି’ ବୃଦ୍ଧି ଘଟୁଛି । ତେବେ ଛାତ୍ର ଆନ୍ଦୋଳନ ଦ୍ୱାରା ସରକାରଙ୍କର ଏହି ଅପରାଗତ ପଦାରେ ପଡ଼ିଯିବ ସେ ନେଇ ଆଜି ସରକାର ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ସାଧାରଣରେ କୁହାଯାଉଛି ।
ରାଜ୍ୟ ସରକାରଙ୍କର ଏହି ନିଷ୍ପତ୍ତିକୁ ବିରୋଧ କରି ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଏହି ଆନ୍ଦୋଳନରେ ଯୋଗଦେଇଥିଲେ । ରାଜ୍ୟ ସଭାପତି ଗଣେଶ ତିପ୍ରାଠୀ, ସମ୍ପାଦକ ସୁବାସ ନାଏକ, ଉପସଭାପତି ସିଦ୍ଧାର୍ଥ ରଥ, ଜୟନ୍ତ ମହାନ୍ତି, ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ନସିମ୍‍ ସରକାର, କ୍ରିଷ୍ଣାରାଣୀ ସାହୁ, ମଧୁସ୍ମିତା ସାହୁ, ରେଖା ଦଣ୍ଡପାଟ, ଶିବାନୀ ଶଙ୍କର ମିଶ୍ର ପ୍ରମୁଖ ନେତୃତ୍ୱ ନେଇଥିଲେ । ଯଦି ରାଜ୍ୟ ସରକାର ତାଙ୍କର ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର ନ କରନ୍ତି ତେବେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଛାତ୍ର ଆନ୍ଦୋଳନ କରାଯିବ ବୋଲି ଏଆଇଡିଏସଓ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଏହି ପରିପ୍ରେକ୍ଷୀରେ ଆଜି ରମାଦେବୀ କଲେଜ ସମ୍ମୁଖରେ ଛାତ୍ରୀମାନେ ଆନ୍ଦୋଳନ କରିଥିବା ଦେଖାଯାଇଛି ।