ନିଲମ୍ବିତ ଶିକ୍ଷକଙ୍କୁ ପୁନଃଅବସ୍ଥାପିତ ଦାବି, ରାସ୍ତାରେ ଧାରଣା ଦେଲେ ଛାତ୍ରଛାତ୍ରୀ

ଦେବଗଡ଼,ଏନ୍ଏନ୍ଏସ୍ତିଲେଇବଣୀ ବ୍ଲକ୍ଅନ୍ତର୍ଗତ ସାମନ୍ତରାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକଙ୍କୁ ନିଲମ୍ବିତ କରାଯିବା ନେଇ ଅସନ୍ତୋଷ ଦେଖାଦେଇଛି। ଘଟଣାର ପ୍ରତିବାଦରେ ଆଜି ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକମାନେ ବିଦ୍ୟାଳୟ ସମ୍ମୁଖ ରାଞ୍ଚି- ବିଜୟୱାଡା ଜାତୀୟ ରାଜପଥ ଉପରେ ଧାରଣା ଦେଇଥିଲେ।

ଅଭିଯୋଗ ଅନୁସାରେ ଶିକ୍ଷକ ଘନଶ୍ୟାମ ବେହେରା ବିଭିନ୍ନ ସମୟରେ ଅଶ୍ଳୀଳ ଆଚରଣ କରୁଥିବା ନେଇ ଜଣେ ଶିକ୍ଷୟିତ୍ରୀ ଗତ ୩୦ ତାରିଖ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲେ। ଉକ୍ତ ଅଭିଯୋଗକୁ ଭିତ୍ତିକରି ଶିକ୍ଷକ ଘନଶ୍ୟାମଙ୍କୁ ଗତ ସୋମବାର ନିଲମ୍ବିତ କରାଯାଇଥିଲା। ତେବେ ଏ ବିଷୟ ଜାଣିବା ପରେ ଗାଁଲୋକେ ଏକତ୍ରିତ ହୋଇ ପ୍ରତିବାଦ କରିବା ସହ ସମ୍ପୃକ୍ତ ଶିକ୍ଷକଙ୍କୁ ପୁନଃଅବସ୍ଥାପିତ ଦାବି କରିଥିଲେ। ଦେବଗଡ଼ ପୁଲିସ୍‌ ପହଞ୍ଚି ଲୋକଙ୍କୁ ବୁଝାସୁଝା ପରେ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଥିଲା। ସେହିପରି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶକୁନ୍ତଳା ଟେଟେ ବିଭାଗୀୟ କର୍ମଚାରୀଙ୍କ ସହ ପହଞ୍ଚି ଅଭିଭାବକଙ୍କ ସହ ଆଲୋଚନା ପାଇଁ ଉଦ୍ୟମ ଚଳାଇଥିଲେ।

ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ କୌଣସି ସମାଧାନ ହୋଇପାରିନଥିଲା। ଘଟଣା ସମ୍ପର୍କରେ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୋଷ କୁମାର ନାଏକଙ୍କ ମତାମତ ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଶ୍ରୀ ନାଏକ ରିସିଭ୍‌ କରିନଥିଲେ।