ଏକତରଫା ପ୍ରେମରେ ବିଫଳ: କଲେଜ ଛାତ୍ରୀଙ୍କ ଗଳାକାଟି ହତ୍ୟା

ବ୍ରହ୍ମପୁର,ଏନ୍ଏନ୍ଏସ୍: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଗଙ୍ଗାନଗରଠାରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଘରେ କେହି ନଥିବାବେଳେ ଜଣେ ଯୁବତୀଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବତୀ ଜଣଙ୍କ ହେଲେ ବାଲୁଗାଁ କଲେଜର ଯୁକ୍ତ ଦୁଇ ଛାତ୍ରୀ ଶିବାନୀ ବେହେରା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ପ୍ରାଥମିକ ସୂଚନା ମୁତାବକ ଏକତରଫା ପ୍ରେମରେ ବିଫଳ ହୋଇ ଜଣେ ଯୁବକ ଏହି କାଣ୍ଡ ଭିଆଇଥିବା ଅନୁମାନ କରାଯାଉଛି। ଘରେ କେହି ନଥିବାର ସୁଯୋଗ ନେଇ ଯୁବକ ଜଣଙ୍କ ଶିବାନୀଙ୍କ ଗଳାକାଟି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଛାଡ଼ି ଚାଲିଯାଇଥିଲା। ପରିବାର ଲୋକ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାରେ ସଂପୃକ୍ତି ଅଭିଯୋଗରେ ପୁଲିସ ସେହି ଗ୍ରାମର ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।