ଉର୍ମାଗଡ଼ ଜଳପ୍ରପାତରେ ଖସିପଡ଼ି ଛାତ୍ର ନିଖୋଜ

କନ୍ଧମାଳ, ଫିରିଙ୍ଗିଆ,ଏନ୍‌ଏନ୍‌ଏସ୍ : ଗୋଚ୍ଛାପଡ଼ା ଥାନା ଅନ୍ତର୍ଗତ ପର୍ଯ୍ୟଟନ ସ୍ଥଳୀ ଉର୍ମାଗଡ଼ ଜଳପ୍ରପାତରେ ଖସିପଡ଼ି ଛାତ୍ର ନିଖୋଜ । ଛାତ୍ର ଜଣକ ହେଲେ କଟ୍ରିଙ୍ଗିଆ ପଞ୍ଚାୟତ ନାକଡ଼ିସରୁ ଗ୍ରାମର ଲିଙ୍ଗା ବେହେରାଙ୍କ ପୁଅ ରାଖଲ ବେହେରା(୧୫)। ରାଖଲ ଆଦର୍ଶ ବିଦ୍ୟାଳୟର ୧୦ମ ଶ୍ରେଣୀର ଛାତ୍ର । ମିଳିଥିବା ରିପୋର୍ଟ ମୁତାବକ, ରବିବାର ଅପରାହ୍ନରେ ରାଖଲ ସାଙ୍ଗମାନଙ୍କ ସହ ଉର୍ମାଗଡ଼ ଜଳପ୍ରପାତକୁ ବୁଲିବା ପାଇଁ ଯାଇଥିଲେ । ଅସାବଧାନତାବଶତଃ ଗୋଡ଼ ଖସିଯିବାରୁ ପାଣିରେ ପଡ଼ି ନିଖୋଜ ହୋଇଯାଇଛନ୍ତି । ରାଖଲଙ୍କ ସାଙ୍ଗମାନେ ବହୁତ ଖୋଜାଖୋଜି କରି ମଧ୍ୟ ତାଙ୍କୁ ନପାଇବାରୁ ପରିବାର ଲୋକଙ୍କୁ ଜଣାଇଥିଲେ । ଘରଲୋକେ ରାତିସାରା ଖୋଜିଥିଲେ ମଧ୍ୟ ରାଖଲଙ୍କ କୌଣସି ସନ୍ଧାନ ମିଳିନାହିଁ । କଟ୍ରିଙ୍ଗିଆ ସରପଞ୍ଚ ପ୍ରତିଭା କହଁର ଦମକଳ ବାହିନୀକୁ ଖବର ଦେବାପରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଖୋଜାଖୋଜି ଚଳାଇଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ନିଖୋଜ ଛାତ୍ରଙ୍କୁ ଉଦ୍ଧାର କରାଯାଇ ପାରିନାହିଁ ।