ଶିକ୍ଷକ ପଦବୀ ପୂରଣ ଦାବି ନେଇ ସ୍କୁଲ ଗେଟ୍‌ରେ ତାଲା ପକାଇଲେ ଛାତ୍ରଛାତ୍ରୀ, ବିଇଓଙ୍କୁ ହାତଯୋଡି ନେହୁରା ହେଲେ

ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ବ୍ଲକ୍‌ ଅନ୍ତର୍ଗତ ମରୁଆ ପଞ୍ଚୟତର ପାଢେଲ ସରକାରୀ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ପଦବୀ ଖାଲି ଥିବାରୁ ପାଠପଢ଼ାରେ ନାନା ପ୍ରକାର ଅସୁବିଧା ଦେଖାଦେଉଛି। ଏନେଇ ଆଜି ଛାତ୍ରଛାତ୍ରୀମାନେ ଆଜି ସ୍କୁଲଗେଟରେ ତାଲା ପକାଇବା ସହ ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ସ୍କୁଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିରେ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ କମିଟିର ସଭାପତି ଓ ଅନ୍ୟମାନେ ସହଯୋଗ କରିଥିଲେ।

ସୂଚନା ଅନୁସାରେ ସ୍କୁଲରେ ସମୁଦାୟ ୨୭୫ ଜଣ ଛାତ୍ରଛାତ୍ରୀ ପାଠପଢୁ ଥିବାବେଳେ କେବଳ ୩ ଜଣ ଶିକ୍ଷୟିତ୍ରୀ ଥିବାରୁ ପାଠପଢ଼ାରେ ଅସୁବିଧା ଦେଖାଦେଇଛି। ଏହି ସ୍କୁଲରୁ ଅନ୍ୟତ୍ର ୪ ଜଣଙ୍କୁ ବଦଳି କରାଯାଇଥିବାରୁ ଏଠାରେ ଅସୁବିଧା ଦେଖା ଦେଇଛି। ଖବରପାଇ ସିଆରସିସି ଗୌରଚନ୍ଦ୍ର ଆଚାର୍ଯ୍ୟ ସ୍କୁଲରେ ପହଞ୍ଚି ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀ ଓ ଅଭିବାବକଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସମାଧାନର ବାଟ ଫିଟି ନଥିଲା। ପରେ ପାଢେଲ ସ୍କୁଲକୁ ପାଟଣାଗଡ଼ ବିଇଓ ଶଙ୍କର ପ୍ରସାଦ ମାଝୀ ଓ ସହକାରୀ ବିଇଓ ରତନ ଧରୁଆ ପହଞ୍ଚିଥିଲେ।

ଛାତ୍ରଛାତ୍ରୀ ମାନେ ହାତ ଯୋଡି ବିଇଓଙ୍କୁ ଅନୁରୋଧ କରି କହିଲେ ଯେ ଆମକୁ ଶିକ୍ଷକ ଦିଆଯାଉ। ତେବେ ଆସନ୍ତା ୫ ଦିନ ମଧ୍ୟରେ ଶିକ୍ଷକ ଯୋଗାଇ ଦିଆଯିବ ବୋଲି ବିଇଓ ପ୍ରତିଶ୍ରୁତି ଦେବା ପରେ ଛାତ୍ରଛାତ୍ରୀ ମାନେ ବିକ୍ଷୋଭ ପ୍ରଦର୍ଶନରୁ ନିବୃତ ହୋଇଥିଲେ। ଏହି ବିକ୍ଷୋଭରେ କମିଟିର ସଭାପତି ସୁଶୀଲ କୁମାର ସରାଫ, ସାନନ୍ଦ ସରାଫ ସହ ଗାଁ’ର ଶହ ଶହ ଜନସାଧାରଣ ଉପସ୍ଥିତ ଥିଲେ।